ଚିଲିକା: ଉତ୍କଳର ଦେବା ଦେବୀଙ୍କ ପୀଠର ପର୍ବପର୍ବାଣୀ ଜାନିଯାତ୍ରା ହିଁ ଉତ୍କଳର ଅସ୍ମିତା। ଏ ପ୍ରାଚୀନ ପରମ୍ପରା ହିଁ ଉତ୍କଳକୁ ଗୌରବାନ୍ବିତ କରି ଗଢ଼ି ତୋଳିଛି। ରାଜ ରାଜୁଡ଼ାଙ୍କ ଶାସନ କାଳରୁ ପ୍ରଚଳିତ ପରମ୍ପରା ଗଣତନ୍ତ୍ର ଶାସନ କାଳରେ ମଧ୍ୟ ପ୍ରତିଟି ଦେବା ଦେବୀଙ୍କ ପୀଠରେ ଏଯାବତ୍ ବଞ୍ଚି ରହି ଉତ୍କଳର ଜନମାନସକୁ ଉଦବେଳିତ କରିବା ସହିତ ଆମ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରୁଛି।
ଅବିଭକ୍ତ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀ ଓ ଚିଲିକା ମଧ୍ୟସ୍ଥ ଆରାଧାଦେବୀ ମା’ କାଳିଜାଇ ଙ୍କ ମଧ୍ୟରେ ଜାନି ଯାତ୍ରା ପବିପର୍ବାଣୀରେ ସ୍ନେହଶ୍ରଦ୍ଧାର ଯେଉଁ ପାରମ୍ପରିକ ସମ୍ପର୍କର ରୀତିନୀତି ଚାଲି ଆସିଛି ତାହା ଅନନ୍ୟ। ଏକଦା ଉଭୟ ଦେବୀଙ୍କ ମନ୍ଦିର ପରିଚାଳନା ଦାୟିତ୍ଵରେ ଥିଲେ ପ୍ରାଚୀନ ବଙ୍କାଡ଼ଗଡ଼ ଅଧୁନା କୃଷ୍ଣପ୍ରସାଦଗଡ଼ର ମାନସିଂହ ମର୍ଦ୍ଦରାଜ ରାଜବଂଶର ରାଜା’। ରାଜତନ୍ତ୍ରଶାସନ ଗଲାପରେ ମଧ୍ୟ ମା’ଭଗବତୀଙ୍କ ମନ୍ଦିରର ପର୍ବପର୍ବାଣୀଜାନିଯାତ୍ରା ସହିତସଂପର୍କ ଅତୁଟ ଅମଳିନ ହୋଇ ରହିଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’କାଳିଜାଇଙ୍କ ମକର ମେଳା ର ନିମନ୍ତ୍ରଣ ପୂର୍ବଦିନ ମା’ଭଗବତୀଙ୍କ ମନ୍ଦିରକୁ ପ୍ରତିନିଧି ସେବାୟତ ସହଦେବ ନାୟକଙ୍କ ହାତରେ ପଠାଇଥିଲେ। ମକର ସଂକ୍ରାନ୍ତିରେ ପ୍ରତ୍ୟୁଷରୁ ମା’ଭଗବତୀଙ୍କ ସମସ୍ତ ନୀତିକାନ୍ତି ପରେ ବଲ୍ଲଭ ଆଳତି ବଢ଼ି ଆଜ୍ଞାମାଳ କରାଯାଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦଦାସ ମା’କାଳିଜାଇ ଙ୍କ ପାଇଁ ଶାଢ଼ି, ଚୁଡ଼ି, ଅଳତା ସିନ୍ଦୁର, ମୂଆଁ ସହ ମା’ଙ୍କ ଆଜ୍ଞମାଳ ସବୁ କାଠିନାହାକପ୍ରତିନିଧି ଗଣେଶନାୟକ, ଶ୍ରଦ୍ଧାଳୁନବ କିଶୋର ପ୍ରଧାନଙ୍କ ହାତରେ ପଠାଇଥିଲେ।
ରାଜା ସାହେବ ସନ୍ତୋଷ କୁମାର କୃଷ୍ଣପ୍ରସାଦ ଗଡ଼ରୁ ସୁସଜ୍ଜିତ ନୌକାରେ ବସି ଥାଟ ପଟୁଆରରେ ଆସି ମା’ଭଗବତୀଙ୍କ ଆଜ୍ଞାମାଳ ଗ୍ରହଣ କରି ମା’ କାଳିଜାଇଙ୍କ ଠାରେ ଲାଗି କରାଇବା ପରେ ମା’ଙ୍କ ପୀଠର ମକର ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଥିଲା। ସୁନୀଳ ଚିଲିକାର ମଧ୍ୟ ଭାଗରେ ଥିବା ପାହାଡ଼ର ପାଦଦେଶରେ ପୂଜିତା ମା’କାଳିଜାଇଙ୍କ ପୀଠରେ ମା’ ଭାଗବତୀଙ୍କ ଆଜ୍ଞାମାଳ ପହଞ୍ଚିବାପରେ ଅଗଣିତ ଶ୍ରଦ୍ଧାଳୁଙ୍କ ଜୟଜୟକାର ଧ୍ଵନୀରେ ଚ଼ିଲିକାର ଗଗନ ପବନ ମୁଖରିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


