ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ୧୮ ଜାନୁଆରୀ ୨୦୨୬ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୁଲ୍ୟରେ ଜାଗମରା ଠାରେ ଆୟୋଜିତ ପଥ ଉତ୍ସବରେ ଏକ ଭିନ୍ନ ଧରଣର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଥ ଉତ୍ସବରେ, ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ଥିକ ବାର୍ତ୍ତା ଦେବା ସହ ବିଭିନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଥିଲେ। ଏହି ଉପଲକ୍ଷେ, ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀମାନଙ୍କ ଦ୍ୱାରା ଏକ ନୂକଡ଼ ନାଟକ ପରିବେଷଣ କରାଯାଇଥିଲା, ଯାହାକି ଲୋକମାନଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ଆର୍ଥିକ ସ୍ଵାକ୍ଷରତା ଉପରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ମଧ୍ୟ ଆଯୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବୟସର ଲୋକମାନେ ଭାଗନେଇ ପୁରସ୍କାର ଜିତିଥିଲେ। ଏହା ସହ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସହଯୋଗରେ ଆରବିଆଇର ଆର୍ଥିକ ସ୍ଵାକ୍ଷରତା ଷ୍ଟଲଠାରେ ମଇଳା/ ଚିରାଫଟା ଆଦି ଟଙ୍କାର ବିନିମୟ ସୁବିଧା ଆୟୋଜନ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ଅଭିନବ ପ୍ରୟାସକୁ ଲୋକମାନେ ବହୁ ପ୍ରଶଂସା କରିଥିଲେ। ଆଗାମୀ ରବିବାର ତଥା ୦୧ ଫେବୃଆରୀ ୨୦୨୬ ଦିନ ଇନ୍ଫୋସିଟି ଠାରେ ଆୟୋଜିତ ହେବାକୁ ଯାଉଥିବା ପଥଉତ୍ସବରେ ମଧ୍ୟ ଆରବିଆଇ ର ଷ୍ଟଲରେ ମଇଳା/ ଚିରାଫଟା ଟଙ୍କା ବଦଳାଇବା ସୁବିଧା ଜାରି ରହିବ। ଲୋକମାନେ ଆରବିଆଇର ଏହି ଷ୍ଟଲଟିକୁ ପରିଦର୍ଶନ କରି ବିଭିନ୍ନ ଆର୍ଥିକ ସଚେତନତା ବାର୍ତ୍ତା ଜାଣି ପାରିବେ ଏବଂ ନିଜର ମଇଳା/ ଚିରାଫଟା ଆଦି ଟଙ୍କା କୁ ବଦଳାଇ ପାରିବେ।


