ଭୁବନେଶ୍ଵର: ଭାରତର ଚିକିତ୍ସା ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ରରେ ସଂରକ୍ଷିତ ଦୁର୍ଲଭ ଆୟୁର୍ବେଦିକ ପାଣ୍ଡୁଲିପି ଓ ତାଳପତ୍ର ପୋଥିଗୁଡ଼ିକର ଡିଜିଟାଇଜେସନ, ତାଲିକାକରଣ ଏବଂ ପ୍ରକାଶନ କରାଯିବ।
ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, CCRAS ର ମହାନିର୍ଦ୍ଦେଶକ ପ୍ରଫେସର (ବୈଦ୍ୟ) ରବିନାରାୟଣ ଆଚାର୍ଯ୍ୟ ଏବଂ ଭାରତୀୟ ଚିକିତ୍ସା ପଦ୍ଧତି ଜାତୀୟ ପରିଷଦର ପୂର୍ବତନ ସଭାପତି ପ୍ରଫେସର ବି.ଏସ. ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।


