ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାଲେଶ୍ୱରଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସହିତ ଏହାର ନୂତନ ଅଡିଟୋରିୟମ୍ ଉଦଘାଟନ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିଚାରଣ କରି କହିଥିଲେ, ଛାତ୍ରାବସ୍ଥାରେ ସେ ବ୍ୟାସ କବିଙ୍କର କାଳଜୟୀ କାହାଣୀ ‘ରେବତୀ’ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେହି ପ୍ରଭାବ ଏବେ ସୁଦ୍ଧା ମଳିନ ପଡ଼ିନାହିଁ। ଉନବିଂଶ ଶତାବ୍ଦୀରେ ଜଣେ ଝିଅର ଶିକ୍ଷା ଗ୍ରହଣ କରିବାର ଦୃଢ଼ସଂକଳ୍ପ ତାଙ୍କ ସାହସର ଏକ ଅଲିଭା ପ୍ରମାଣ। ରାଷ୍ଟ୍ରପତି କହିଥିଲେ, ସେ ଗୋଟିଏ ଦୂରବର୍ତ୍ତୀ ଆଦିବାସୀ ଗାଁରେ ପାଠପଢ଼ିଥିଲେ ଏବଂ ତାଙ୍କର ଦୃଢ଼ସଂକଳ୍ପ ନେଇ ଭୁବନେଶ୍ୱର ଯାଇଥିଲେ। ସେଠାରେ ସେ ତାଙ୍କର ହାଇସ୍କୁଲ ଏବଂ କଲେଜ ଶିକ୍ଷା ଶେଷ କରିଥିଲେ। ଏହିପରି ଭାବେ ଫକୀର ମୋହନ ତାଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ଶ୍ରୀମତୀ ମୁର୍ମୁ କହିଥିଲେ।
ରାଷ୍ଟ୍ରପତି କହିଥିଲେ, ଫକୀରମୋହନଙ୍କର ନିଜ ମାତୃଭାଷା ପ୍ରତି ଗଭୀର ପ୍ରେମ ଥିଲା। ସେ ଲେଖିଯାଇଛନ୍ତି, ‘‘ମୋ ପାଇଁ ମୋ ମାତୃଭାଷା ସବୁଠୁ ବଡ଼।’’ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା ସହିତ ନିଜ ପରିବେଶ, ରୀତିନୀତି ଏବଂ ସାଂସ୍କୃତିକ ପରିବେଶକୁ ଭଲ ଭାବେ ବୁଝିବାରେ ସକ୍ଷମ ହୋଇଥାଆନ୍ତି। ସେମାନେ ନିଜ ସଭ୍ୟତାର ମୂଲ୍ୟବୋଧ ଏବଂ ଜୀବନଶୈଳୀ ସହିତ ଘନିଷ୍ଠ ଭାବରେ ପରିଚିତ ହୁଅନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି 2020 ମାତୃଭାଷା ଉପରେ ଗୁରୁତ୍ୱାରୋପ କରେ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଂସ୍କୃତି ସହ ଯୋଡ଼ି ହୋଇ ରହିବାକୁ ମାର୍ଗଦର୍ଶନ କରେ ବୋଲି ସେ ଜୋର ଦେଇ କହିଥିଲେ।
ରାଷ୍ଟ୍ରପତି କହିଥିଲେ, ଭାରତରେ ଜ୍ଞାନର ଏକ ସମୃଦ୍ଧ ପରମ୍ପରା ରହିଛି। ଆମର ଶାସ୍ତ୍ର ଏବଂ ପାଣ୍ଡୁଲିପି ଜ୍ଞାନ ଏବଂ ବୁଦ୍ଧିମତ୍ତାରେ ପରିପୂର୍ଣ୍ଣ। କବିତା ଏବଂ ସାହିତ୍ୟ ବ୍ୟତୀତ, ଏହା ବିଜ୍ଞାନ, ଚିକିତ୍ସା, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ ଭଳି କ୍ଷେତ୍ରରେ ମଧ୍ୟ ଜ୍ଞାନର ଉତ୍ସ। ଯୁବ ଛାତ୍ରଛାତ୍ରୀ ଏହି ପ୍ରାଚୀନ ଜ୍ଞାନ ପରମ୍ପରାରେ ଗବେଷଣା କରିପାରିବେ। ସେ କହିଥିଲେ, ଅତୀତକୁ ବୁଝି ଏବଂ ବର୍ତ୍ତମାନକୁ ଗ୍ରହଣ କରି ବିଦ୍ୟାର୍ଥୀମାନେ ନିଜର ଏବଂ ଦେଶର ଭବିଷ୍ୟତକୁ ଗଢ଼ିପାରିବେ।
ରାଷ୍ଟ୍ରପତି ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଜ୍ଞାନ, ସମର୍ପଣ ଏବଂ ପ୍ରତିବଦ୍ଧତା ମାଧ୍ୟମରେ ସେମାନେ ସମାଜରେ ସମ୍ମାନ ଏବଂ ସ୍ୱୀକୃତି ପାଇପାରିବେ। ସେମାନେ ଯେଉଁଠାକୁ ଯାଆନ୍ତୁ ଏବଂ ଯାହା କରନ୍ତୁ ପଛେ, ପ୍ରତ୍ୟେକ ପ୍ରୟାସରେ ସଫଳତାର ଚାବିକାଠି ହେଉଛି ସମର୍ପଣ ବୋଲି ସେ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି ଆହୁରି କହିଥିଲେ, ଗୋଟିଏ ସଫଳ ଜୀବନ ଏବଂ ସାର୍ଥକ ଜୀବନ ସମାନ ନୁହେଁ। ଜୀବନରେ ସଫଳ ହେବା ଭଲ, କିନ୍ତୁ ଜୀବନକୁ ସାର୍ଥକ କରିବା ଆହୁରି ଭଲ। ଖ୍ୟାତି, ପ୍ରତିଷ୍ଠା ଏବଂ ଆର୍ଥିକ ସୁରକ୍ଷା ହାସଲ କରିବା ଗୁରୁତ୍ୱପୂର୍ଣ୍ଣ। ହେଲେ ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି କରିବା ଉଚିତ। ବିକାଶଧାରାରେ ପଛେଇ ଯାଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ ଏବଂ କହିଥିଲେ, ସମାଜର ବିକାଶ ସମସ୍ତଙ୍କ ବିକାଶରେ ନିହିତ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷାଗତ ଅଧ୍ୟୟନ ନୁହେଁ, ବରଂ ଜନସମ୍ପର୍କ ଉପରେ ମଧ୍ୟ ଗବେଷଣା ଏବଂ ଲୋକସମ୍ପର୍କ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ବାଲେଶ୍ୱର-ଭଦ୍ରକ ଅଞ୍ଚଳ ଏହାର ଚାଉଳ, ପାନ ପତ୍ର ଏବଂ ମାଛ ପାଇଁ ପ୍ରସିଦ୍ଧ। ଏହି କ୍ଷେତ୍ରଗୁଡ଼ିକରେ ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ବିଶ୍ୱବିଦ୍ୟାଳୟର ‘‘ସ୍କୁଲକୁ ଫେରିଆସ,’’ ‘‘ପାଠପଢ଼ା ସମୟରେ ଉପାର୍ଜନ’’ ଏବଂ ‘‘ପ୍ରତ୍ୟେକ ବ୍ୟକ୍ତି ପରସ୍ପରୁ ଶିକ୍ଷା ଦିଅ’’ କାର୍ଯ୍ୟକ୍ରମ ସହିତ ପରିବେଶ ସଚେତନତା ଏବଂ ବେଳାଭୂମି ସଫେଇ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ବାଲେଶ୍ୱର ଏବଂ ଭଦ୍ରକର ବେଳାଭୂମିରେ ନୀଳ କଙ୍କଡ଼ା ପ୍ରଚୁର ପରିମାଣରେ ଦେଖାଯାଏ ଏବଂ ନୀଳ କଙ୍କଡ଼ା କିମ୍ବା ହର୍ସଶୁ କଙ୍କଡ଼ା ଉପରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ବିଶ୍ୱବିଦ୍ୟାଳୟର ଦୂରଦୃଷ୍ଟିକୁ ଦର୍ଶାଇଥାଏ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।
ରାଷ୍ଟ୍ରପତି କହିଥିଲେ, ସମାଜର ସବୁ ବର୍ଗର ବିକାଶ, ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାବେଶୀ ବିକାଶ, ନୂତନ ଉଦ୍ଭାବନ ଏବଂ ସାମାଜିକ ପରିବର୍ତ୍ତନର ମାଧ୍ୟମ ରୂପେ କାର୍ଯ୍ୟ କରିବାର ଗୁରୁଦାୟିତ୍ୱ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ରହିଛି । ବିଶ୍ଳେଷଣାତ୍ମକ ଚିନ୍ତାଧାରା, ନୈତିକ ନେତୃତ୍ୱ ଏବଂ ସ୍ଥାନୀୟ ତଥା ଜାଗତିକ ଆହ୍ୱାନର ସମାଧାନ କରୁଥିବା ଗବେଷଣାକୁ ପ୍ରୋତ୍ସାହନ ଦେଇ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏପରି ଏକ ଭବିଷ୍ୟତ ନିର୍ମାଣ କରିପାରିବେ ଯାହା ଦୀର୍ଘସ୍ଥାୟୀ, ନ୍ୟାୟସଂଗତ ଏବଂ ମାନବୀୟ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥିବ। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏହାର ଶୈକ୍ଷିକ ଦୃଷ୍ଟିକୋଣ ଏବଂ ଜନ ଭାଗିଦାରୀ ମାଧ୍ୟମରେ ଏହି ଦିଗରେ ଏକ ପରିବର୍ତ୍ତନକାରୀ ଭୂମିକା ନିର୍ବାହ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।


