ଭୁବନେଶ୍ଵର: ମାଣିଆବନ୍ଧ ବୁଦ୍ଧବିହାରଠାରେ ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ଶିବିରର ଉଦଘାଟନ କରି କହିଥିଲେ; ବସ୍ତ୍ରର ଉତ୍କୃଷ୍ଟତା ବୁଣାକାରଙ୍କ ଉତ୍ତମ ଦୃଷ୍ଟିଶକ୍ତି ଉପରେ ଅନେକ କ୍ଷେତ୍ରରେ ନିର୍ଭରଶୀଳ। ସୁସ୍ଥ ଦୃଷ୍ଟି, ସଶକ୍ତ ବୁଣାକାର। ତେଣୁ ବୁଣାକାରମାନଙ୍କୁ ସେମାନଙ୍କ ଚକ୍ଷୁର ସ୍ଵାସ୍ଥ୍ୟ ବିଷୟରେ ସଚେତନ କରାଇବା ପାଇଁ ଏହା ଲୋକଙ୍କ ସରକାରଙ୍କର ଗୋଟିଏ ଛୋଟ ପ୍ରୟାସ।
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୦୦ରୁ ଅଧିକ ବୁଣାକାର ସାମିଲ ହୋଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଆବଶ୍ୟକୀୟ ବୁଣାକାରଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଡାକ୍ତରମାନେ ଚକ୍ଷୁର ଯତ୍ନ ନେବା ପାଇଁ ବୁଣାକାରମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ ଦଳବେହେରା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ସମାଜସେବୀ ସୁକାନ୍ତ କୁମାର ବିଶ୍ଵାଳ, ସାଇଟସେଭରସ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ସୁଦତ୍ତା ଖୁଣ୍ଟିଆ, କଳିଙ୍ଗ ହସପିଟାଲ୍ ର ଅଧ୍ୟକ୍ଷ ସାରଙ୍ଗଧର ସାମଲ, ରୋଟାରୀ ହସପିଟାଲର ଶୁଭେନ୍ଦୁ ପରିଡ଼ା, ୟୁଏନଡିପିର ଆଭା ମିଶ୍ର, ବୁଣାକାର ଓ କାରିଗର ପ୍ରମୁଖ ଉପସ୍ଥିତ ଥିଲେ।


