ଭୁବନେଶ୍ବର: କଟକରେ ଗତକାଲି ବିଶିଷ୍ଟ ସିତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ପ୍ରଥମ ଏକାଦଶ ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ରାଜ୍ୟର ବିଶିଷ୍ଠ କଳାକାରମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ପଣ୍ଡିତ ରବି ଶଙ୍କର ଗତ ମାସ 29 ତାରିଖରେ ପରଲୋକ ଗମନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା।
ପଣ୍ଡିତ ରବି ଶଙ୍କର ଓଡିଶା ତଥା ଜାତୀୟ ସ୍ତରର ଜଣେ ପ୍ରତିଷ୍ଠିତ ସୀତାର ବାଦକ ଭାବେ ବେଶ ଜଣାଶୁଣା। ସେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ ଏ ଗ୍ରେଡ ସୀତାର ବାଦକ। ଏଥିସହିତ ସେ କୋଣାର୍କ ନାଟ୍ୟ ମଣ୍ଡପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଭାବେ ପରିଚିତ। ସେ ଗୁରୁ ଗଂଗାଧର ପ୍ରଧାନଙ୍କୁ ବହୁ ନୃତ୍ୟାଭିନୟରେ ସୀତାର ବାଦକ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ହେମାମାଳିନୀ, ମାଧବୀ ମୁଦୁଗଲ, ସଂଯୁକ୍ତା ପାଣିଗ୍ରାହୀ, ସୋନାଲ ମାନସିଂହ, ବିରଜୁ ମହାରାଜା ଏବଂ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଇଁ ମଧ୍ୟ ସୀତାର ବାଦନ କରିଛନ୍ତି।
ଓଡିଶା ସହିତ ଦେଶ ବିଦେଶରେ ମଧ୍ୟ ସେ ଏକକ ସୀତାର ବାଦନ କରି ନିଜର ଏକ ସ୍ବତନ୍ତ୍ର ଛାପ ପକାଇଛନ୍ତି। ସେ ମୁମ୍ବାଇ, ଆଲ୍ଲାହବାଦ, ବାରାଣାସୀ, ଜାମସେଦପୁର ଏବଂ କୋଲକାତା ପ୍ରମୁଖ ସ୍ଥାନରେ ସୀତାର ବାଦନ କରି ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ସେହିପରି ଆମେରିକା, ଜାପାନ, ସିଙ୍ଗାପୁର, ମାଲେୟିଆ ଏବଂ ୟୁରୋପର ବିଭିନ୍ନ ସ୍ଥାନରେ ନିଜର ଦକ୍ଷତାକୁ ପ୍ରତିପାଦନ କରାଇଛନ୍ତି।
ଏହି ଦକ୍ଷତା ପାଇଁ ପଣ୍ଡିତ ରବି ଶଙ୍କର 1917 ମସିହାରେ ତାଙ୍କୁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ସେ ବୀଣାକାର ସମ୍ମାନ, ତରଙ୍ଗ ସଂଗୀତ ସମ୍ମାନ, ସ୍ବରସାଗର ସମ୍ମାନ ଏବଂ ପ୍ରୟାଗ ସଂଗୀତ ସ୍ମୃତି ସମ୍ମାନ ପରି ବହୁ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ବିୟୋଗ ଓଡିଶା ସଂଗୀତ ଜଗତ ଏକ ଅମୁଲ୍ୟ ହୀରାକୁ ହରାଇ ବସିଲା। ତାଙ୍କ ସହିତ ଜଡିତ ବହୁ କଳାକାର ତାଙ୍କ ସ୍ମୃତି ସଭାରେ ସ୍ମୃତି ଚାରଣ କରିଥିଲେ।


