ଭୁବନେଶ୍ୱର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ବ୍ରିଜେଶ କୁମାର ମିଶ୍ର, ୦୯ ଫେବୃଆରୀ ୨୦୨୬ ରେ ମାନବାର ଏବଂ ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ରେଳ ଲାଇନର ଏକ ବିସ୍ତୃତ ବୈଧାନିକ ଯାଞ୍ଚ କରିଥିଲେ। ପୂର୍ବ ତଟ ରେଳପଥର ୱାଲଟେୟାର ମଣ୍ଡଳ ଅନ୍ତର୍ଗତ ପ୍ରାୟ ୧୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଲାଇନ କୋଟ୍ଟାଭାଲସା-କିରାଣ୍ଡୁଲ ଦୋହରୀକରଣ ପ୍ରକଳ୍ପର ଏକ ଅଂଶ।
ଏହି ସେକ୍ସନଟି ୬୦ କିଲୋଗ୍ରାମ ରେଳରେ ନିର୍ମିତ ଏବଂ ଏହି ସେକ୍ସନରେ ୨୫ଟି ଆକ୍ସଲ୍ ଲୋଡ୍ ମାନଦଣ୍ଡ ଅନୁଯାୟୀ ନିର୍ମିତ ଦୁଇଟି ପ୍ରମୁଖ ସେତୁ ରହିଛି। ଭାରତୀୟ ରେଳପଥର ଆଧୁନିକୀକରଣ ଲକ୍ଷ୍ୟ ଅନୁଯାୟୀ ଦ୍ରୁତ ଗତି, ଭାରୀ ଆକ୍ସଲ୍ ଲୋଡ୍ ଏବଂ ଉନ୍ନତ ସୁରକ୍ଷା ମାନଦଣ୍ଡକୁ ସମର୍ଥନ କରିବା ପାଇଁ ଭିତ୍ତିଭୂମି ଡିଜାଇନ୍ କରାଯାଇଛି। ଟ୍ରାକ୍, ସେତୁ, ସିଗନାଲିଂ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁରକ୍ଷା ପରିମାପକଗୁଡ଼ିକର ବିସ୍ତୃତ ପରୀକ୍ଷା ସମେତ ବ୍ୟାପକ ବୈଧାନିକ ଯାଞ୍ଚ କରାଯାଇଥିଲା। କୌଣସି ସମସ୍ୟା ବିନା ବେଗର ପରୀକ୍ଷଣ ସଫଳତାର ସହିତ ପାସ୍ କରିଛି, ଯାହା ଫଳରେ ଏହି ସେକ୍ସନଟି ପୂର୍ଣ୍ଣ କମିଶନିଂ ପାଇଁ ଅନୁମୋଦନ ମିଳିଛି।
ଏହି ମାଇଲଖୁଣ୍ଟ ନିର୍ମାଣ ସଂଗଠନ,ସିଭିଲ୍ ଇଞ୍ଜିନିୟରିଂ, ସଂକେତ ଏବଂ ଦୂରସଂଚାର ଏବଂ ବିଦ୍ୟୁତ ବିଭାଗ ୱାଲଟେୟାର ମଣ୍ଡଳର ପରିଚାଳନା ଏବଂ ଟ୍ରାଫିକ୍ ବିଭାଗ ସହିତ ଘନିଷ୍ଠ ସମନ୍ୱୟର ସମର୍ପିତ ପ୍ରୟାସକୁ ପ୍ରତିଫଳିତ କରୁଛି ,ଯାହା ଫଳରେ ଏହି ସଫଳତା ହାସଲ ହୋଇପାରିଛି।
ଏହି ଦ୍ୱିତୀୟ ଲାଇନ କାର୍ଯ୍ୟକ୍ଷମ ହେବା ଦ୍ୱାରା ସେକ୍ସନାଲ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ, ଯାତ୍ରୀ ଏବଂ ମାଲବାହୀ ଟ୍ରେନଗୁଡ଼ିକର ସୁଗମ ଏବଂ ଦ୍ରୁତ ଗତିବିଧିକୁ ସହଜ କରିବ, ଟ୍ରେନ ଗୁଡିକର ଅଟକ ରହିବା ସମୟରେ ହ୍ରାସ ସହିତ ଭିଡ଼ ହ୍ରାସ ପାଇବ ଏବଂ ସାମଗ୍ରିକ ପରିଚାଳନାରେ ଉନ୍ନତି ଆସିବ। କୋଟ୍ଟାଭାଲସା-କିରାଣ୍ଡୁଲ୍ ସେକ୍ସନରେ ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ସହିତ, ଏହି ଅଞ୍ଚଳର ବର୍ଦ୍ଧିତ ପରିବହନ ଚାହିଦା, ବିଶେଷକରି ଖଣିଜ ଏବଂ ଶିଳ୍ପ ଜାତୀୟ ଦ୍ରବ୍ୟର ସୁଗମ ପରିବହନ କରିବାରେ ଏହି ଦୋହରୀକରଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ନିରୀକ୍ଷଣ ସମୟରେ, ରେଳ ସୁରକ୍ଷା କମିଶନରଙ୍କ ସହିତ ୱାଲ୍ଟେୟାର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ, ନିର୍ମାଣ ଏବଂ ରେଳ ବିଭାଗର ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


