ଟାଙ୍ଗୀ/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଆଶ୍ରୟସ୍ଥଳୀ Manglajodi Wetland ଠାରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲକ୍ଷ୍ୟରେ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇକୋ କ୍ଳବ ପକ୍ଷରୁ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ଦୂଷଣର କୁପ୍ରଭାବ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ବିଷୟରେ ଉଦ୍ବୋଧନ ଦେଇଥିଲେ। ଇକୋ କ୍ଲବ୍, ଭୁବନେଶ୍ୱରର ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ ଯୁବପିଢ଼ିଙ୍କୁ ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ଟାଙ୍ଗୀର ଫରେଷ୍ଟର୍ ଶ୍ରୀମତୀ ମୀନା କୁମାରୀ ନାୟକ ଏବଂ ଅଜୟ କୁମାର ମହାରଣା ଜଳାଶୟ ଓ ପକ୍ଷୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନିଷେଧ ଆବଶ୍ୟକ ବୋଲି କହିଥିଲେ।
ଇକୋ କ୍ଲବ୍ ପ୍ରୋଗ୍ରାମ ଅଫିସର ବିଶ୍ୱ ରଞ୍ଜନ ଦାସ ଓ ଏନ୍ସିସି ଓ ୟୁଥ୍ ରେଡକ୍ରସ୍ ପ୍ରୋଗ୍ରାମ ଅଫିସର ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମୋଟ ୧୫୦ ଜଣ ସେବାଭାବୀ ସ୍ୱେଚ୍ଛାସେବକ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଛାତ୍ରଛାତ୍ରୀମାନେ ରାଲି କାଢ଼ି “ପ୍ଲାଷ୍ଟିକ ବନ୍ଦ କର, ପ୍ରକୃତିକୁ ରକ୍ଷା କର” ପରି ସ୍ଲୋଗାନ୍ ଦେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ସେହି ସହିତ ଜଳାଶୟ ପରିସରରେ ସଫାଇ କାର୍ଯ୍ୟକ୍ରମ କରି ପ୍ଲାଷ୍ଟିକ ଅବଶିଷ୍ଟ ସଂଗ୍ରହ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବେଶ ସୁରକ୍ଷା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ। ଏହି ଅଭିଯାନ ଦ୍ୱାରା ମଙ୍ଗଳାଜୋଡି ଅଞ୍ଚଳରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଛି।


