ଭୁବନେଶ୍ଵର: ନାବାଳିକାମାନଙ୍କୁ ଯୌନ ଶୋଷଣ କରୁଥିବା ଅପରାଧୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ନ୍ୟାୟସିଦ୍ଧ’ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ତ୍ୱରିତ ତଦନ୍ତ, ଶୀଘ୍ର ଚାର୍ଜସିଟ୍ ଦାଖଲ ଓ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଉଛି।
ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।
ପ୍ରଥମ ମାମଲା:
ସମ୍ବଲପୁର ଜିଲ୍ଲାର ମାନ୍ୟବର ପୋକ୍ସୋ କୋର୍ଟ ବିଚାରପତି ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ସମ୍ପର୍କିତ ଏକ ସମ୍ବେଦନଶୀଳ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୫(୨) ଓ ପୋକ୍ସୋ ଆଇନ ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ୨୧ ବର୍ଷ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଅପରାଧ ଘଟିବାଠାରୁ ଆରମ୍ଭ କରି ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ମାତ୍ର ୭୯ ଦିନ ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ନୂତନ ଭାରତୀୟ ଆଇନର କାର୍ଯ୍ୟକାରିତାର ଏକ ଉତ୍କୃଷ୍ଟ ଉଦାହରଣ।
ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମସିହା ନଭେମ୍ବର ୨୯ ତାରିଖରେ ସମ୍ବଲପୁର ଜିଲ୍ଲା ଧାମା ଥାନା ଅଧୀନ ଭେରାପାଲି ଗ୍ରାମରେ ଅଭିଯୁକ୍ତ ଏହି ଘୃଣ୍ୟ ଅପରାଧ ଘଟାଇଥିଲେ। ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ମା’ଙ୍କୁ ସୂଚନା ଦେବା ପରେ ପରବର୍ତ୍ତୀ ସମୟରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ଘଟଣାର ତ୍ଵରିତ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା। ଏହା ସହ ସଠିକ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା।
ଦ୍ୱିତୀୟ ମାମଲା:
ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ ଥାନା (ମାମଲା ନଂ– ୯୯, ତା. ୦୭.୦୫.୨୦୨୨) ଅଧୀନ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭିଷ୍ମ ପୁଲେଇ (୨୭)ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୧ ବର୍ଷ କଠୋର କାରାଦଣ୍ଡ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବା ପରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ମାମଲାର ତ୍ୱରିତ ତଦନ୍ତ, ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟା ଓ କଠୋର ଦଣ୍ଡାଦେଶ ସୁନିଶ୍ଚିତ ହେଉଥିବା ପ୍ରତିଫଳିତ ହେଉଛି। ଏହା ଅପରାଧୀମାନଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା ତଥା ଆଇନର କଠୋରତାକୁ ପ୍ରତିପାଦନ କରୁଛି।
ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମ୍ବଲପୁର ଜିଲ୍ଲା ଏସ୍.ପି. ଓ ତଦନ୍ତକାରୀ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଛନ୍ତି।
ମହିଳା ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ପୋଲିସ ଆଗାମୀ ଦିନରେ ମଧ୍ୟ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ ଜାରି ରଖିବ।


