ଭୁବନେଶ୍ୱର: ରେଡକ୍ରସ କଟକ ସହାୟତାରେ ତଥା ଦୂରସଞ୍ଚାର ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ) ର ମିଳିତ ଆନୁକୂଲ୍ୟରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଓଡ଼ିଶା ପରିମଣ୍ଡଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଭୁବନେଶ୍ୱର ଅଶୋକ ନଗରସ୍ଥିତ ବିଏସଏନଏଲ ଭବନଠାରେ ଆୟୋଜିତ ହୋଇଯାଇଛି।
ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ (ଟିଡବ୍ଲୁଡବ୍ଲୁଓ) ଓଡ଼ିଶାର ସଭାପତି ଶ୍ରୀମତୀ ମମତା ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ବେହେରା ସମସ୍ତଙ୍କୁ ଏହି ମହାନ ଉଦ୍ଦେଶ୍ୟ ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିଥିଲେ ଯାହାଦ୍ୱାରା ମୂଲ୍ୟବାନ ମାନବ ଜୀବନ ରକ୍ଷା ହୋଇପାରିବ।
ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଭାଗ ନେଇଥିଲେ। କଟକ ରେଡକ୍ରସ୍ ରକ୍ତଭଣ୍ଡାର ଦ୍ୱାରା ସଫଳତାର ସହିତ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ପଦକ୍ଷେପ ସମାଜ ସେବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପ୍ରତି ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ) ଗଜେନ୍ଦ୍ର କୁମାର ଯାଦବ, ଟିଡବ୍ଲୁଡବ୍ଲୁଓ ସଚିବ ଗାୟତ୍ରୀ ମଲ୍ଲିକ ଏବଂ ଟିଡବ୍ଲୁଡବ୍ଲୁଓର ସକ୍ରିୟ ଅଂଶଗ୍ରହଣକାରୀ ଲିଲି ଜେନାମଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


