Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ
ଆଜିର ଖବର

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026No Comments14 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ
ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କୋଡିଂଠାରୁ ଆରମ୍ଭ କରି ସୃଜନଶୀଳତା ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିମତା (ଏଆଇ) ଅଭିବୃଦ୍ଧିର ନିୟମଗୁଡ଼ିକୁ ପୁନର୍ବାର ଲେଖୁଛି, ଶିଳ୍ପଗୁଡ଼ିକୁ ଶକ୍ତିଶାଳୀ କରୁଛି, ନିଯୁକ୍ତିରେ ପରିବର୍ତ୍ତନ ଆଣୁଛି ଏବଂ ଭାରତକୁ ଭବିଷ୍ୟତ ଆଡ଼କୁ ଆଗେଇ ନେଉଛି। ଭାରତର ଡିଜିଟାଲ୍ ଅର୍ଥନୀତି, ବିନିଯୋଗ ଏବଂ ନିଯୁକ୍ତିର ଅଭିବୃଦ୍ଧି ପାଇଁ ଏଆଇ ଏକ ଗତିଶୀଳ ସହାୟକ ପାଲଟୁଛି।

ଭାରତ ଏଆଇ-ପ୍ରସ୍ତୁତ ଦେଶଗୁଡ଼ିକର ପ୍ରଥମ ଗୋଷ୍ଠୀରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଏଆଇ ସ୍ଥାପତ୍ୟର ସମସ୍ତ ପାଞ୍ଚଟି ସ୍ତର ଯଥା- ଆପ୍ଲିକେସନ୍ସ, ମଡେଲ୍ସ, ଚିପ୍ସ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରରେ ବ୍ୟବସ୍ଥିତ ପ୍ରଗତି ହେଉଛି। ସିସିଆଇ (ଭାରତୀୟ ପ୍ରତିଯୋଗିତା ଆୟୋଗ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଏଆଇର ବିଶ୍ୱସ୍ତରୀୟ ବଜାର ଆକାର ୨୦୨୦ ମସିହାରେ ୧୦୩.୬ ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୨୦୨୪ ମସିହାରେ ୨୮୮.୮ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏହି ସମାନ ସମୟ ମଧ୍ୟରେ, ଭାରତରେ ଏଆଇ ବଜାର ୨.୯୭ ବିଲିୟନ ଆମେରିକୀୟ ଡଲାରରୁ ୭.୬୩ ବିଲିୟନ ଆମେରିକୀୟ ଡଲାରକୁ ସମ୍ପ୍ରସାରିତ ହୋଇଛି। ଭାରତୀୟ ଏଆଇ ବଜାର ୪୨.୨% ର ସିଏଜିଆର (CAGR) ହାରରେ ବୃଦ୍ଧି ପାଇ ୨୦୩୨ ମସିହା ସୁଦ୍ଧା ୧୩୧.୩୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଭାରତ ସରକାର ଏଆଇ ନେତୃତ୍ୱାଧୀନ ପରିବର୍ତ୍ତନ ସହିତ ସାମଞ୍ଜସ୍ୟ ରଖି ଭାରତରେ ବୈଷୟିକ ବିକାଶକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି। “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ” (ସମସ୍ତଙ୍କ କଲ୍ୟାଣ, ସମସ୍ତଙ୍କ ଖୁସି) ସୁନିଶ୍ଚିତ କରିବା ସହିତ ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କେନ୍ଦ୍ରିତ ପ୍ରୟାସ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଏହା ସୁନିଶ୍ଚିତ କରୁଛି ଯେ, ପ୍ରଯୁକ୍ତିବିଦ୍ୟା ଦକ୍ଷତା ବୃଦ୍ଧି କରୁଛି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ଏବଂ ଦେଶର ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମନୋଭାବକୁ ମଜବୁତ କରୁଛି।

ବିଶ୍ୱସ୍ତରୀୟ ଏଆଇ କ୍ଷେତ୍ରରେ ଭାରତର ଉଦୀୟମାନ ନେତୃତ୍ୱ

ବିଶ୍ୱସ୍ତରୀୟ ମାନଦଣ୍ଡଗୁଡ଼ିକ ସୂଚାଉଛି ଯେ, କୃତ୍ରିମ ବୁଦ୍ଧିମତା (ଏଆଇ) ପ୍ରସ୍ତୁତି କ୍ଷେତ୍ରରେ ଭାରତ ଏକ ସୁଦୃଢ଼ ସ୍ଥିତିରେ ଥିବା ଅର୍ଥନୀତି ଭାବରେ ଉଭା ହେଉଛି।

ବିଶ୍ୱସ୍ତରୀୟ ସୂଚକାଙ୍କରେ ଭାରତର ସ୍ଥିତି

ସୂଚକାଙ୍କ ଭାରତର ମାନ୍ୟତା ଏହା କ’ଣ ସୂଚାଉଛି?
ଷ୍ଟାନଫୋର୍ଡ ୟୁନିଭରସିଟିର ୨୦୨୫ ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ଆମେରିକା ଏବଂ ଚୀନ୍ ପଛକୁ ତୃତୀୟ ସ୍ଥାନ ଗବେଷଣା ଓ ବିକାଶ (R&D), ପ୍ରତିଭା ଏବଂ ଅର୍ଥନୀତିରେ ଅଭିବୃଦ୍ଧି
ଆଇଏମଏଫର ଏଆଇ ପ୍ରସ୍ତୁତି ସୂଚକାଙ୍କ ଭାରତ ୪୯.୩ ସ୍କୋର ହାସଲ କରିଛି, ଯାହା ଅନ୍ୟ ଉଦୀୟମାନ ଏବଂ ବିକାଶଶୀଳ ଅର୍ଥନୀତିର ହାରାହାରି ୪୨.୧ ସ୍କୋରଠାରୁ ଅଧିକ କୃତ୍ରିମ ବୁଦ୍ଧିମତାକୁ ଆପଣାଇବା ଏବଂ ଏଥିରୁ ଲାଭବାନ ହେବା ପାଇଁ ଭାରତ ଏକ ଉତ୍ତମ ସ୍ଥିତିରେ ଅଛି।
ଅକ୍ସଫୋର୍ଡର ଗଭର୍ଣ୍ଣମେଣ୍ଟ ଏଆଇ ରେଡିନେସ୍ ଇଣ୍ଡେକ୍ସ ୨୦୨୫ ଭାରତ ଦକ୍ଷିଣ ଏବଂ ମଧ୍ୟ ଏସିଆରେ ନେତୃତ୍ୱ ବଜାୟ ରଖିବା ସହ ୬୬.୫୫ ସ୍କୋର ସହ ୨୭ତମ ସ୍ଥାନରେ ରହିଛି ୨୦୨୫ ମସିହା ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରୟାସ ଭିତ୍ତିରେ ଭାରତର ବାର୍ଷିକ ଦୃଢ଼ ପ୍ରଗତି।

ଏହି ସମସ୍ତ ବିଶ୍ୱସ୍ତରୀୟ ସୂଚକାଙ୍କଗୁଡ଼ିକ ଏକତ୍ରିତ ଭାବେ, କୃତ୍ରିମ ବୁଦ୍ଧିମତାକୁ ଦକ୍ଷତା, ଅନ୍ତର୍ଭୁକ୍ତୀକରଣ ଏବଂ ଦୀର୍ଘକାଳୀନ ଅର୍ଥନୈତିକ ପରିବର୍ତ୍ତନର ଏକ ଚାଳକ ଭାବରେ ବ୍ୟବହାର କରିବା ପାଇଁ ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ଦର୍ଶାଉଛି।

କୃତ୍ରିମ ବୁଦ୍ଧିମତା ଯୁଗରେ ଭାରତର ରଣନୀତିକ ସଫଳତା

ଭାରତର ବିଶ୍ୱସ୍ତରୀୟ ଏଆଇ ପ୍ରସ୍ତୁତି; ଏକ ଯୁବ ତଥା ଡିଜିଟାଲ୍ ଦକ୍ଷ ଜନସଂଖ୍ୟା, ସୁଦୃଢ଼ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମର ଏକ ଅନନ୍ୟ ମିଶ୍ରଣ ଉପରେ ଆଧାରିତ। ଏହି ମୌଳିକ ଶକ୍ତିଗୁଡ଼ିକ ବ୍ୟାପକ ସ୍ତରରେ ଏଆଇ ର ବିକାଶ, ପ୍ରୟୋଗ ଏବଂ ପରିଚାଳନା କ୍ଷେତ୍ରରେ ଭାରତକୁ ଏକ ସ୍ଥାୟୀ ରଣନୀତିକ ସଫଳତା ପ୍ରଦାନ କରୁଛି।

ଜନସଂଖ୍ୟା

ଭାରତ ହେଉଛି ବିଶ୍ୱର ସବୁଠାରୁ କମ୍ ବୟସ୍କ କାର୍ଯ୍ୟବଳ ବିଶିଷ୍ଟ ଦେଶ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ୬୫% ରୁ ଅଧିକ ଜନସଂଖ୍ୟା ୩୫ ବର୍ଷରୁ କମ୍। ଏହି ବିଶାଳ, ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ପ୍ରତିଭାଶାଳୀ ଗୋଷ୍ଠୀଙ୍କୁ ଏଆଇ ଚାଳିତ ଶିଳ୍ପଗୁଡ଼ିକ ପାଇଁ ପ୍ରଶିକ୍ଷିତ କରାଯାଇପାରିବ, ଯାହା ନବସୃଜନ, ଡିଜିଟାଲ୍ ସେବା ଏବଂ ଭବିଷ୍ୟତର ନିଯୁକ୍ତି ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ।

ଡିଜିଟାଲ୍ ଭିତ୍ତିଭୂମି

ଭାରତର ଦ୍ରୁତ ଡିଜିଟାଲ୍ ପରିବର୍ତ୍ତନ ଏକ ସୁଦୃଢ଼ ମୌଳିକ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ଡାଟା ସେଣ୍ଟର ଏବଂ ବ୍ୟାପକ ଇଣ୍ଟରନେଟ୍ ସଂଯୋଗ ସାରା ଦେଶରେ କ୍ଲାଉଡ୍ ଆଡପ୍ସନ, ଏଆଇ ପ୍ରୟୋଗ ଏବଂ ତଥ୍ୟ-ଭିତ୍ତିକ ଶାସନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବରେ ଉଭା ହେଉଛି।

ଭାରତର ଡିଜିଟାଲ୍ ଭିତ୍ତିଭୂମିର ଅନ୍ୟତମ ପ୍ରମୁଖ ସ୍ତମ୍ଭ ହେଉଛି ଡାଟା ସେଣ୍ଟରଗୁଡ଼ିକର ସମ୍ପ୍ରସାରଣ ଏବଂ ବିକାଶ। କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଷ୍ଟୋରେଜ୍ ଏବଂ ଏଆଇ/ଏମ୍‍ଏଲ୍‍ ଆପ୍ଲିକେସନ୍ସର ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ଏହି ସେଣ୍ଟରଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାସନାଲ୍ ଇନଫର୍ମାଟିକ୍ସ ସେଣ୍ଟର (ଏନ୍‍ଆଇସି) ଦିଲ୍ଲୀ, ପୁଣେ, ଭୁବନେଶ୍ୱର ଏବଂ ହାଇଦ୍ରାବାଦ ଭଳି ସହରଗୁଡ଼ିକରେ ଅତ୍ୟାଧୁନିକ ଜାତୀୟ ଡାଟା ସେଣ୍ଟର (ଏନ୍‍ଡିସି) ପ୍ରତିଷ୍ଠା କରିଛି, ଯାହା ସରକାରୀ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ସାର୍ବଜନୀନ କ୍ଷେତ୍ରର ପ୍ରତିଷ୍ଠାନ ମାନଙ୍କୁ ସୁଦୃଢ଼ କ୍ଲାଉଡ୍ ସେବା ଯୋଗାଇ ଦେଉଛି। ଏନ୍‍ଡିସିରେ ଷ୍ଟୋରେଜ୍ କ୍ଷମତା ପ୍ରାୟ ୧୦୦ ପେଟାବାଇଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଥିରେ ଅଲ୍-ଫ୍ଲାସ୍ ଏଣ୍ଟରପ୍ରାଇଜ୍ କ୍ଲାସ୍ ଷ୍ଟୋରେଜ୍, ଅବଜେକ୍ଟ ଷ୍ଟୋରେଜ୍ ଏବଂ ୟୁନିଫାଇଡ୍ ଷ୍ଟୋରେଜ୍ ଅନ୍ତର୍ଭୁକ୍ତ। ଏଆଇ ମଡେଲଗୁଡ଼ିକର ପ୍ରଶିକ୍ଷଣ, ପ୍ରୟୋଗ ଏବଂ ହୋଷ୍ଟିଂ ପାଇଁ ଡାଟା ଷ୍ଟୋରେଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଡାଟା ସେଣ୍ଟରଗୁଡ଼ିକର ଦ୍ରୁତ ଅଭିବୃଦ୍ଧି ବୈଷୟିକ ବାଧାବିଘ୍ନକୁ ହ୍ରାସ କରୁଛି।

  • ମାର୍ଚ୍ଚ ୨୦୧୪ ରେ ଥିବା ୨୫.୧୫ କୋଟି ତୁଳନାରେ ଜୁନ୍ ୨୦୨୫ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗ ୧୦୦.୨୯ କୋଟିରେ ପହଞ୍ଚି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି, ଯାହା ୨୯୮.୭୭% ଅଭିବୃଦ୍ଧି ଦର୍ଶାଉଛି।
  • ୪୦୦ ମିଲିୟନରୁ ଅଧିକ ୫-ଜି ବ୍ୟବହାରକାରୀଙ୍କ ସହ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ୫ ଜି ଗ୍ରାହକ ଭିତ୍ତିଭୂମି ଏବଂ ବିଶ୍ୱସ୍ତରରେ ଦ୍ରୁତତମ ବ୍ୟବହାରକାରୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ।
  • ଅପ୍ଟିକାଲ୍ ଫାଇବର କେବୁଲ୍ (ଓଏଫ୍‍ସି) ର ଲମ୍ବ ୧୯.୩୫ ଲକ୍ଷ ରୁଟ୍ କିମି (୨୦୧୯) ରୁ ବୃଦ୍ଧି ପାଇ ୪୨.୩୬ ଲକ୍ଷ ରୁଟ୍ କିମିରେ ପହଞ୍ଚିଛି। ମୋଟ ୨,୧୪,୮୪୩ ଗ୍ରାମ ପଞ୍ଚାୟତ ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସଂଯୋଗ ଦ୍ୱାରା ସଶକ୍ତ।
  • ଡିସେମ୍ବର ୨୦୨୫ ସୁଦ୍ଧା ୫୫୦ କୋଟି ଟଙ୍କା ବ୍ୟୟରେ ୫ଜି/୬ଜି, ଏଆଇ, କ୍ୱାଣ୍ଟମ୍ କମ୍ୟୁନିକେସନ୍ ଭଳି ଉଦୀୟମାନ ଟେଲିକମ୍ ପ୍ରଯୁକ୍ତିବିଦ୍ୟାକୁ ନେଇ ୧୩୬ଟି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଇଛି।
  • ୨୦୨୪ ମସିହାରେ ଏଆଇକୁ ପ୍ରାଥମିକତା ଦେଇ ଭାରତ ଏବେ ସୁଦ୍ଧା ୩୮,୦୦୦ ଜିପିୟୁ (ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍) ହାସଲ କରିଛି, ଯାହା ଏଆଇ କ୍ଷେତ୍ରରେ ଭାରତର ‘ବିଶ୍ୱସ୍ତରୀୟ ନେତା’ ହେବାର ପ୍ରୟାସକୁ ପ୍ରତିଫଳିତ କରେ।

ଔଦ୍ୟୋଗିକତା

ଭାରତରେ ଷ୍ଟାର୍ଟଅପ୍ ଏବଂ ନବସୃଜନ ଭିତ୍ତିକ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଉଛି। ଗତ ଏକ ଦଶନ୍ଧି ମଧ୍ୟରେ, ଭାରତୀୟ ଷ୍ଟାର୍ଟଅପ୍ ପରିବେଶ ଅଭୂତପୂର୍ବ ସମ୍ପ୍ରସାରଣ ରେକର୍ଡ କରିଛି, ଯେଉଁଥିରେ DPIIT ଦ୍ୱାରା ଦେଶସାରା ୨,୦୦,୦୦୦ ରୁ ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତିପ୍ରାପ୍ତ। ଷ୍ଟାର୍ଟଅପ୍ ଏବଂ ଏଆଇ ଉଦ୍ୟୋଗୀମାନେ ହେଉଛନ୍ତି ଭାରତର ଭବିଷ୍ୟତର ସହ-ସ୍ଥପତି ଏବଂ ଏହି ବୃଦ୍ଧି ପାଉଥିବା ଉଦ୍ୟୋଗୀ ପରିବେଶ ସୁନିଶ୍ଚିତ କରେ ଯେ ଏଆଇ ସମାଧାନଗୁଡ଼ିକ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ, ସମ୍ପ୍ରସାରଣ ଯୋଗ୍ୟ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ହେବ।

ଏଆଇ ଷ୍ଟାର୍ଟ–ଅପ୍

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ପାଇଁ ପ୍ରସ୍ତୁତି ସ୍ୱରୂପ, ଫାଉଣ୍ଡେସନ୍ ମଡେଲ୍ ସ୍ତମ୍ଭ ଅଧୀନରେ ଚୟନ କରାଯାଇଥିବା ୧୨ଟି ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ରାଉଣ୍ଡଟେବୁଲ୍ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ବିଚାରଧାରା ଓ କାର୍ଯ୍ୟ ଉପସ୍ଥାପନ କରିଥିଲେ।

ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଭାରତୀୟ ଭାଷା ଫାଉଣ୍ଡେସନ୍ ମଡେଲ୍, ବହୁଭାଷୀ LLMs (ବୃହତ ଭାଷା ମଡେଲ), ସ୍ପିଚ୍-ଟୁ-ଟେକ୍ସଟ୍, ଟେକ୍ସଟ୍-ଟୁ-ଅଡିଓ ଏବଂ ଟେକ୍ସଟ୍-ଟୁ-ଭିଡିଓ; ଇ-କମର୍ସ, ମାର୍କେଟିଂ ଏବଂ ବ୍ୟକ୍ତିଗତ କଣ୍ଟେଣ୍ଟ୍ ସୃଷ୍ଟି ପାଇଁ ଜେନେରେଟିଭ୍ ଏଆଇ ବ୍ୟବହାର କରି 3D କଣ୍ଟେଣ୍ଟ୍; ଇଞ୍ଜିନିୟରିଂ ସିମୁଲେସନ୍, ସାମଗ୍ରୀ ଗବେଷଣାଏବଂ ବିଭିନ୍ନ ଶିଳ୍ପରେ ତଥ୍ୟ-ଭିତ୍ତିକ ନିଷ୍ପତ୍ତି ଗ୍ରହଣ ପାଇଁ ଉନ୍ନତ ଆନାଲିଟିକ୍ସ; ସ୍ୱାସ୍ଥ୍ୟସେବା ନିଦାନ ଏବଂ ଚିକିତ୍ସା ଗବେଷଣା ଆଦି ଅନ୍ତର୍ଭୁକ୍ତ।

ଏକ ସୁଯୋଗ ଭାବରେ ଏଆଇ: ଶ୍ରମ ବଜାରର ବିକାଶ

ଯଦିଓ ସାରା ବିଶ୍ୱରେ ଏଆଇ କୁ ନିଯୁକ୍ତି କ୍ଷେତ୍ରରେ ଏକ ବାଧା ଭାବରେ ଦେଖାଯାଉଛି, ଏହା ଭାରତ ପାଇଁ ଅନ୍ତର୍ଭୁକ୍ତ ବିକାଶ ଏବଂ ନବସୃଜନକୁ ଆଗେଇ ନେବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ।

ଏଆଇ ଦକ୍ଷତା ଏବଂ ନିଯୁକ୍ତି ପାଇଁ ବଢ଼ୁଥିବା ଚାହିଦା

ଏଆଇ ସମ୍ବନ୍ଧୀୟ ଦକ୍ଷତାର ଚାହିଦା ଦ୍ରୁତ ଗତିରେ ବଢ଼ୁଛି। ଦକ୍ଷିଣ ଏସିଆରେ, ଜାନୁଆରୀ ୨୦୨୩ ଏବଂ ମାର୍ଚ୍ଚ ୨୦୨୫ ମଧ୍ୟରେ, ଏଆଇ ସମ୍ବନ୍ଧୀୟ ଚାକିରି ବିଜ୍ଞାପନର ଅନୁପାତ ଦୁଇଗୁଣରୁ ଅଧିକ ହୋଇଛି, ଯାହା ସମସ୍ତ ଖାଲି ପଦବୀର ୨.୯% ରୁ ୬.୫% କୁ ବୃଦ୍ଧି ପାଇଛି। ଏହି ସମାନ ସମୟ ମଧ୍ୟରେ, ଏଆଇ ଦକ୍ଷତାର ଚାହିଦା ଅଣ-ଏଆଇ ଭୂମିକା ତୁଳନାରେ ୭୫% ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ମୁଖ୍ୟତଃ ଉଚ୍ଚ ଦରମା ବିଶିଷ୍ଟ, ସହରୀ, ହ୍ୱାଇଟ-କଲାର ନିଯୁକ୍ତି ଦ୍ୱାରା ପରିଚାଳିତ। ସାମଗ୍ରିକ ଭାବରେ, ଏଆଇ ସମ୍ବନ୍ଧୀୟ ଚାକିରିରେ ଏହି ଦ୍ରୁତ ବୃଦ୍ଧି ଉଚ୍ଚ ଦକ୍ଷତା ଏବଂ ସହରୀ ନିଯୁକ୍ତି ଆଡକୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ସୂଚାଉଛି, ଯେଉଁଠାରେ ଭାରତ ନିଜକୁ ଏଆଇ ଗ୍ରହଣ ଏବଂ ପ୍ରତିଭା ଚାହିଦା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରୁଛି।

ଭାରତର ଶ୍ରମ ବଜାରର ପରିବର୍ତ୍ତନ

ଏଆଇ ସମ୍ବନ୍ଧୀୟ ଚାକିରିରେ ଦ୍ରୁତ ଅଭିବୃଦ୍ଧି ଭାରତର ଶ୍ରମ ବଜାରରେ ଏକ ସକାରାତ୍ମକ ପରିବର୍ତ୍ତନର ସଙ୍କେତ ଦେଉଛି।

  • ଷ୍ଟାନଫୋର୍ଡ ଏଆଇ ଇଣ୍ଡେକ୍ସ ରିପୋର୍ଟ ୨୦୨୫ ଅନୁସାରେ, ଭାରତ ଏଆଇ ପ୍ରତିଭା ଅଧିଗ୍ରହଣରେ ବିଶ୍ୱର ନେତୃତ୍ୱ ନେଉଛି, ଯାହାର ବାର୍ଷିକ ନିଯୁକ୍ତି ହାର ପ୍ରାୟ ୩୩%।
  • ଭୌଗୋଳିକ ବିତରଣ ଅନୁଯାୟୀ GitHub ଏଆଇ ପ୍ରକଳ୍ପଗୁଡ଼ିକର ବିଶ୍ୱସ୍ତରୀୟ ତଥ୍ୟ ଅନୁସାରେ, ୨୦୨୪ ମସିହାରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଯୋଗଦାନକାରୀ ଥିଲା, ଯାହା ସମସ୍ତ ଏଆଇ ପ୍ରକଳ୍ପର ୧୯.୯% ଥିଲା।
  • ଷ୍ଟାନଫୋର୍ଡ ୟୁନିଭରସିଟିର ଏଆଇ ଇଣ୍ଡେକ୍ସ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତରେ ସମାନ ବୃତ୍ତିଗତ କ୍ଷେତ୍ରଗୁଡ଼ିକରେ ଏଆଇ ଦକ୍ଷତାର ଆପେକ୍ଷିକ ପ୍ରସାର ବିଶ୍ୱସ୍ତରୀୟ ହାରାହାରି ତୁଳନାରେ ୨.୫ ଗୁଣ ଅଧିକ ଥିଲା।
  • ଜର୍ଜଟାଉନ୍ ୟୁନିଭରସିଟି ଅନୁଯାୟୀ, ୨୦୧୫-୨୦୨୫ ମଧ୍ୟରେ ଭାରତ ୨,୬୨,୪୦୪ଟି ଏଆଇ ସମ୍ବନ୍ଧୀୟ ଗବେଷଣା ପ୍ରବନ୍ଧ ପ୍ରକାଶ କରିଛି, ଯାହା ଏହାକୁ କୃତ୍ରିମ ବୁଦ୍ଧିମତା ଗବେଷଣାରେ ବିଶ୍ୱର ଅଗ୍ରଣୀ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନିତ କରିଛି। ଏହି ଗବେଷଣା ଆଉଟପୁଟ୍ ଏଆଇ କ୍ଷେତ୍ରରେ ଭାରତର ଗଭୀର ବୈଷୟିକ ପ୍ରତିଭାକୁ ଦର୍ଶାଉଛି, ଯାହା ଆର୍ଥିକ ସର୍ଭେ ୨୦୨୫-୨୬ ରେ ମଧ୍ୟ ସ୍ୱୀକାର କରାଯାଇଛି।
  • ଆମେରିକା ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଏଆଇ-ସାକ୍ଷର କାର୍ଯ୍ୟବଳ ରହିଥିବାରୁ, ଭାରତ ସ୍ୱାସ୍ଥ୍ୟ, କୃଷି, ଅର୍ଥ, ଶିକ୍ଷା ଏବଂ ସାଧାରଣ ପ୍ରଶାସନ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଏହାର ବ୍ୟାପକ ଘରୋଇ ଡାଟା ଇକୋସିଷ୍ଟମରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇପାରିବ।

ଏହା ପ୍ରଯୁକ୍ତିବିଦ୍ୟା, ସେବା, ଉତ୍ପାଦନ ଏବଂ ସୃଜନଶୀଳ ଶିଳ୍ପଗୁଡ଼ିକରେ ନୂତନ, ଉଚ୍ଚ-ମୂଲ୍ୟର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏଆଇ ଗ୍ରହଣ ସମ୍ପ୍ରସାରିତ ହେବା ସହିତ ଏଆଇ ପ୍ରଶିକ୍ଷକ, ସୁରକ୍ଷା ପରୀକ୍ଷକ, ପ୍ରମ୍ପ୍ଟ ଇଞ୍ଜିନିୟର୍ ଭଳି ବିବିଧ ଭୂମିକା ପାଇଁ ଚାହିଦା ବଢ଼ୁଛି। ଏହି ବିବିଧତା ‘ସ୍କିଲ୍ ଇଣ୍ଡିଆ’, ‘ଡିଜିଟାଲ୍ ଇଣ୍ଡିଆ’ ଏବଂ ‘ଫ୍ୟୁଚର ସ୍କିଲ୍ସ ପ୍ରାଇମ୍’ ଭଳି କାର୍ଯ୍ୟକ୍ରମ ଅଧୀନରେ ଉଭୟ ଅଭିଜ୍ଞ ବୃତ୍ତିଗତ ଏବଂ ନୂତନ କର୍ମଚାରୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସହାୟତା କରୁଛି।

ଦକ୍ଷିଣ ଭାରତ ଏକ ଏଆଇ ହବ୍ ଭାବରେ ଉଭା ହେଉଛି

ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ବିକାଶ ଅପଡେଟ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏସିଆରେ ଏଆଇ ସମ୍ବନ୍ଧୀୟ ନିଯୁକ୍ତି ସୁଯୋଗ ମୁଖ୍ୟତଃ ଭାରତ ଏବଂ ଶ୍ରୀଲଙ୍କାରେ କେନ୍ଦ୍ରୀଭୂତ ହୋଇଛି, ଯେଉଁଥିରେ ଭାରତର ସର୍ବାଧିକ ଅଂଶ ରହିଛି।

ଭାରତରେ, ୨୦୨୫ ର ହ୍ୱାଇଟ-କଲାର ତାଲିକାର ୫.୮ ପ୍ରତିଶତ ପାଇଁ ଏଆଇ ବିଶେଷଜ୍ଞତା ଆବଶ୍ୟକ ଥିଲା। ଏଥିରେ ଦକ୍ଷିଣ ବୈଷୟିକ କରିଡର ଦ୍ୱାରା ପରିଚାଳିତ ବାଙ୍ଗାଲୋର (ଏଆଇ ଚାକିରିର ୧୧% ଅଂଶ) ଏବଂ ହାଇଦ୍ରାବାଦ (୯.୫୭%) ଅନ୍ତର୍ଭୁକ୍ତ। ଏହା ପଛକୁ ମହାରାଷ୍ଟ୍ରର ପୁଣେ (୬.୯୫%) ଏବଂ ଚେନ୍ନାଇ (୬.୬୨%) ମଧ୍ୟ ପ୍ରମୁଖ ସ୍ଥାନ ପାଇଛନ୍ତି।

ମଜୁରୀ ବୃଦ୍ଧି ଏବଂ ଶ୍ରମ ବଜାର ପ୍ରୋତ୍ସାହନ

ଏଆଇ ସମ୍ବନ୍ଧୀୟ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମଜୁରୀ ସୁବିଧା ପ୍ରଦାନ କରେ, ଯାହା ଉଦୀୟମାନ ଦକ୍ଷତା ପାଇଁ ସୁଦୃଢ଼ ବିଶ୍ୱସ୍ତରୀୟ ଚାହିଦାକୁ ପ୍ରତିଫଳିତ କରେ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଡିଜିଟାଲ୍ ଦକ୍ଷତା ଆବଶ୍ୟକ କରୁଥିବା ଚାକିରିଗୁଡ଼ିକ ହାରାହାରି ୧୨% ଅଧିକ ମଜୁରୀ ପ୍ରଦାନ କରୁଥିବାବେଳେ, ଏଆଇ-କେନ୍ଦ୍ରିତ ଭୂମିକାଗୁଡ଼ିକ ୨୮% ଅଧିକ ମଜୁରୀ ପାଇଥାନ୍ତି। ଏଆଇ ଦକ୍ଷତା ବୃଦ୍ଧି ପାଇବା ସହିତ, ଭାରତ ଉଚ୍ଚ-ମୂଲ୍ୟର ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ପ୍ରକଳ୍ପଗୁଡ଼ିକୁ ଆକର୍ଷିତ କରିବାକୁ ପ୍ରସ୍ତୁତ, ଯାହା ଉନ୍ନତ ଦରମା ବିଶିଷ୍ଟ ଚାକିରି ସୃଷ୍ଟି କରିବ ଏବଂ ବିଶ୍ୱ ଡିଜିଟାଲ୍ ଅର୍ଥନୀତିରେ ଏହାର ସ୍ଥିତିକୁ ମଜବୁତ କରିବ।

ଭାରତର ନିଯୁକ୍ତି ସୁରକ୍ଷା

ଭାରତ ପାଖରେ ଏହାର କାର୍ଯ୍ୟବଳକୁ ପୁନଃଦକ୍ଷ କରିବା ଏବଂ ଏଆଇକୁ ଏକ କ୍ରମିକ, ଅନ୍ତର୍ଭୁକ୍ତ ଏବଂ ଦକ୍ଷତା-ବୃଦ୍ଧିକାରୀ ଶୈଳୀରେ ସମନ୍ୱିତ କରିବାର ସୁଯୋଗ ରହିଛି। କୃଷି, ସ୍ୱାସ୍ଥ୍ୟସେବା ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରଗୁଡ଼ିକ, ଯେଉଁଠାରେ ମାନବିକ ଦକ୍ଷତା ଅତ୍ୟନ୍ତ ଆବଶ୍ୟକ, ସେଗୁଡ଼ିକ ମଧ୍ୟ ଏଆଇ ଗ୍ରହଣ ଆଡକୁ ଗତି କରୁଛନ୍ତି।

ଉତ୍ପାଦନ କ୍ଷମତା ବୃଦ୍ଧି ଏବଂ ଦକ୍ଷତା ବ୍ୟବଧାନ ହ୍ରାସ

ଭାରତରେ ଏଆଇ ଗ୍ରହଣ ଯୋଗୁଁ ଉତ୍ପାଦନ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିର ପ୍ରମାଣ ମିଳୁଛି। ନାସକମ୍ ଏଆଇ ଆଡପ୍ସନ ଇଣ୍ଡେକ୍ସ ଭାରତକୁ ୪ ରୁ ୨.୪୫ ସ୍କୋର ଦେଇଛି, ଯେଉଁଠାରେ ୮୭% ପ୍ରତିଷ୍ଠାନ ସକ୍ରିୟ ଭାବରେ ଏଆଇ ସମାଧାନ ବ୍ୟବହାର କରୁଛନ୍ତି (ଡିସେମ୍ବର ୨୦୨୫)। ମ୍ୟାକକିନସେ (McKinsey) ଦ୍ୱାରା ୧୯୯୩ଟି ସଂସ୍ଥାର ସର୍ଭେ ଅନୁଯାୟୀ, ୨୦୨୫ ମସିହାରେ ସର୍ଭେ କରାଯାଇଥିବା ୮୮% ସଂଗଠନ ରିପୋର୍ଟ କରିଛନ୍ତି ଯେ ସେମାନେ ଅନ୍ତତଃ ପକ୍ଷେ ସେମାନଙ୍କର ଗୋଟିଏ ବ୍ୟବସାୟିକ କାର୍ଯ୍ୟରେ ଏଆଇ ବ୍ୟବହାର କରୁଛନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଜେନେରେଟିଭ୍ ଏଆଇ ଉପକରଣଗୁଡ଼ିକ ସାମଗ୍ରିକ ଭାବରେ ଉତ୍ପାଦନ କ୍ଷମତାକୁ ୧୪% ଏବଂ ନୂତନ କିମ୍ବା ସ୍ୱଳ୍ପ-ଦକ୍ଷ କର୍ମଚାରୀଙ୍କ ମଧ୍ୟରେ ୩୪% ବୃଦ୍ଧି କରେ, ଯାହା ଦକ୍ଷତା ବ୍ୟବଧାନକୁ ଦୂର କରିବା ସହ ଦକ୍ଷତା ଏବଂ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବାରେ ସାହାଯ୍ୟ କରେ।

ସେବା କ୍ଷେତ୍ରରେ ଏଆଇ–ଚାଳିତ ଅଭିବୃଦ୍ଧି

୨୦୨୪-୨୫ ମସିହାରେ ଭାରତର ସମୁଦାୟ ମୂଲ୍ୟ ବୃଦ୍ଧି (GVA) ରେ ପ୍ରାୟ ୫୫.୩% ଅବଦାନ ଦେଇଥିବା ସେବା କ୍ଷେତ୍ର ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି। ଆଇଟଇ, ଅର୍ଥ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଯୋଗାଯୋଗ ଭଳି ପ୍ରମୁଖ ଶିଳ୍ପଗୁଡ଼ିକ ଦ୍ରୁତ ଗତିରେ ଏଆଇ କୁ ସମନ୍ୱିତ କରୁଛନ୍ତି, ଯାହା ଉତ୍ପାଦନ କ୍ଷମତା, ନବସୃଜନ ଏବଂ ସ୍ଥାୟୀ ବ୍ୟବସାୟିକ ଅଭ୍ୟାସକୁ ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରୁଛି। ଏହି ଶକ୍ତିଗୁଡ଼ିକ ଉପରେ ଆଧାର କରି ଭାରତୀୟ ସଂସ୍ଥାଗୁଡ଼ିକ ଏଆଇ ଗ୍ରହଣ ମାଧ୍ୟମରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ବୃଦ୍ଧି କରିବାକୁ ସୁସଜ୍ଜିତ ଅଛନ୍ତି।

ଏଆଇ ଏବଂ ମାନବିକତା

ଏଆଇ ଭାରତରେ କାର୍ଯ୍ୟର ଭବିଷ୍ୟତକୁ ମାନବିକ ସାମର୍ଥ୍ୟ ବୃଦ୍ଧି କରି ଏବଂ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୁଯୋଗକୁ ସମ୍ପ୍ରସାରିତ କରି ଗଠନ କରୁଛି, ଯେଉଁଠାରେ ନିଷ୍ପତ୍ତି ଗ୍ରହଣ ଏବଂ ସୃଜନଶୀଳତା କ୍ଷେତ୍ରରେ ମଣିଷମାନେ ମୁଖ୍ୟ ଭୂମିକାରେ ରହିବେ। ବିଶେଷ କରି ଜଟିଳ ଏବଂ ପ୍ରାସଙ୍ଗିକ କାର୍ଯ୍ୟଗୁଡ଼ିକରେ ମାନବିକ କାର୍ଯ୍ୟକୁ ବଦଳାଇବା ପରିବର୍ତ୍ତେ ଏଆଇ ଏହାକୁ ଅଧିକ ସମୃଦ୍ଧ କରିବା ପାଇଁ ସର୍ବୋତ୍ତମ।

ଏଆଇ ଉତ୍ପାଦନ କ୍ଷମତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା କର୍ମଚାରୀଙ୍କୁ ସୃଜନଶୀଳ, ବିଶ୍ଳେଷଣାତ୍ମକ ଏବଂ ପାରସ୍ପରିକ ସମ୍ପର୍କ ଭୂମିକା ଉପରେ ଧ୍ୟାନ ଦେବାକୁ ସକ୍ଷମ କରିବ ଏବଂ ମଣିଷ ଓ ମେସିନକୁ ଏକାଠି କାମ କରିବାକୁ ସୁଯୋଗ ଦେଇ ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହିତ କରିବ। ଭାରତର ଟେକ୍ ଏବଂ ଏଆଇ ଇକୋସିଷ୍ଟମରେ ପୂର୍ବରୁ ୬ ମିଲିୟନରୁ ଅଧିକ ଲୋକ ନିୟୋଜିତ ଅଛନ୍ତି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ଚାକିରି ବିସ୍ଥାପନ ପରିବର୍ତ୍ତେ ଚାକିରି ରୂପାନ୍ତରଣକୁ ସମର୍ଥନ କରି ନିଜର କାର୍ଯ୍ୟବଳ ରଣନୀତିରେ ଏଆଇ ଏବଂ ମାନବିକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ବିଭିନ୍ନ କ୍ଷେତ୍ରରେ ଏଆଇ ଏବଂ କାର୍ଯ୍ୟର ଭବିଷ୍ୟତ

ସେବା ବ୍ୟତୀତ, ଏଆଇର ରୂପାନ୍ତରଣକାରୀ ସାମର୍ଥ୍ୟ ଉତ୍ପାଦନ, ଯୋଗାଣ ଶୃଙ୍ଖଳା ଏବଂ ଗ୍ରାହକ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ଅଧିକ ଦକ୍ଷ ଏବଂ ବ୍ୟକ୍ତିଗତ କରିପାରିବ। ଏହାର ବ୍ୟାପକ ଗ୍ରହଣ ନିଯୁକ୍ତି ସୁଯୋଗକୁ ସମ୍ପ୍ରସାରିତ କରିପାରିବ, ଶ୍ରମ ବଜାରକୁ ପୁନଃ ରୂପାନ୍ତରିତ କରିପାରିବ ଏବଂ ନିରନ୍ତର ଦକ୍ଷତା ବୃଦ୍ଧିକୁ ପ୍ରୋତ୍ସାହିତ କରିପାରିବ। ଏହା ଏକ ଗତିଶୀଳ ଏବଂ ଅନ୍ତର୍ଭୁକ୍ତ କାର୍ଯ୍ୟବଳକୁ ସମର୍ଥନ କରେ ଯାହା ବୈଷୟିକ ପ୍ରଗତି ସହିତ ମାନବିକ ବିଶେଷଜ୍ଞତାକୁ ପ୍ରଭାବଶାଳୀ ଭାବରେ ସଂଯୋଗ କରେ।

ଏଆଇ ସହିତ କାର୍ଯ୍ୟର ପ୍ରକୃତିରେ ପରିବର୍ତ୍ତନ

ଭାରତ ରଣନୈତିକ ଭାବରେ କୃତ୍ରିମ ବୁଦ୍ଧିମତାକୁ ଆଗେଇ ନେଉଛି। ଏହା ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକରଣର ଆବଶ୍ୟକତାକୁ ପ୍ରଦର୍ଶନ କରେ ଯାହାକୁ ଭାରତ ସରକାର ଅନେକ ଜାତୀୟ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବୃଦ୍ଧି ପଦକ୍ଷେପ ମାଧ୍ୟମରେ ହାସଲ କରୁଛନ୍ତି, ଯାହାର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିବିଦ୍ୟାକୁ ଉତ୍ପାଦନ, ଅନ୍ତର୍ଭୁକ୍ତୀକରଣ ଏବଂ ନିଯୁକ୍ତିର ଚାଳକ ଭାବରେ ଗଢ଼ି ତୋଳିବା।

ନିତି ଆୟୋଗ, ଏହାର ରିପୋର୍ଟ “ଦି ଅପର୍ଚ୍ୟୁନିଟି ଫର୍ ଆକ୍ସିଲେରେଟେଡ୍ ଇକୋନୋମିକ ଗ୍ରୋଥ୍”ରେ ଉଲ୍ଲେଖ କରିଛନ୍ତି ଯେ ଏଆଇ-ଚାଳିତ ମୂଲ୍ୟ ସୃଷ୍ଟିର ଏକ ପ୍ରମୁଖ ସମ୍ଭାବ୍ୟ ଫଳାଫଳ ହେଉଛି ୨୦୩୫ ସୁଦ୍ଧା ଅଗ୍ରଣୀ ଦେଶଗୁଡ଼ିକ ସହିତ ଏଆଇ ଦକ୍ଷତା ବ୍ୟବଧାନକୁ କ୍ରମାଗତ ଭାବେ ହ୍ରାସ କରିବା ପାଇଁ ଭାରତର ସାମର୍ଥ୍ୟ। ସେହିଭଳି, ଏକ ଆଇଏମ୍‍ଏଫ ରିପୋର୍ଟ ଅନୁସାରେ ଉନ୍ନତ ଅର୍ଥନୀତିରେ ପ୍ରତି ୧୦ଟି ଚାକିରି ବିଜ୍ଞାପନ ମଧ୍ୟରୁ ଗୋଟିଏ ଏବଂ ଉଦୀୟମାନ ବଜାର ଅର୍ଥନୀତିରେ ପ୍ରତି ୨୦ଟି ମଧ୍ୟରୁ ଗୋଟିଏ ବିଜ୍ଞାପନ ପାଇଁ ଏବେ ଅନ୍ତତଃ ପକ୍ଷେ ଗୋଟିଏ ନୂତନ ଦକ୍ଷତା ଆବଶ୍ୟକ ହେଉଛି, ଯାହା ଶ୍ରମ ବଜାରରେ ଦକ୍ଷତା ରୂପାନ୍ତରଣର ଦ୍ରୁତ ଗତିକୁ ସୂଚାଉଛି।

ଏକ ଦକ୍ଷ କାର୍ଯ୍ୟବଳର ବିକାଶ, ଗବେଷଣା ସାମର୍ଥ୍ୟର ସୁଦୃଢ଼ିକରଣ ଏବଂ ଏଆଇ ମଡେଲ ଓ ନବସୃଜନରେ ସକ୍ରିୟ ଅବଦାନ ମାଧ୍ୟମରେ ଏହା ହାସଲ କରାଯାଇପାରିବ। ଏହି ଧାରା ଏକ ପରିବର୍ତ୍ତନଶୀଳ କାର୍ଯ୍ୟ ଜଗତରେ ପ୍ରାସଙ୍ଗିକ ରହିବା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ଏହି ପରିବର୍ତ୍ତନକୁ ସ୍ୱୀକାର କରି, ଭାରତ କେତେକ ନିର୍ଦ୍ଦିଷ୍ଟ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଏହାର ଦକ୍ଷ କର୍ମଚାରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଯୁଗ ପାଇଁ ସକ୍ରିୟ ଭାବରେ ପ୍ରସ୍ତୁତ କରୁଛି।

ଜାତୀୟ କାର୍ଯ୍ୟକ୍ରମ

‘ବିକଶିତ ଭାରତ ଭିଜନ ୨୦୪୭’ ଅଧୀନରେ, ଏଆଇ କୁ ଡିଜିଟାଲ୍ ପରିବର୍ତ୍ତନର ଏକ ପ୍ରମୁଖ ଚାଳକ ଭାବରେ ପରିକଳ୍ପନା କରାଯାଇଛି। ସମସ୍ତ ଶିଳ୍ପରେ ଏଆଇ କୁ ସମନ୍ୱିତ କରି ଭାରତ କାର୍ଯ୍ୟବଳର ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦକ୍ଷତା ବ୍ୟବଧାନକୁ ଦୂର କରିବାକୁ ଲକ୍ଷ୍ୟ ରଖିଛି। ଏହି ପଦ୍ଧତି ଉଭୟ ଉଚ୍ଚ-ଦକ୍ଷ ଏବଂ ପ୍ରାରମ୍ଭିକ ସ୍ତରର କର୍ମଚାରୀଙ୍କୁ ସଶକ୍ତ କରିବ, ଯାହା ବିକଶିତ ଡିଜିଟାଲ୍ ଅର୍ଥନୀତିରେ ସମାନ ଅଂଶଗ୍ରହଣ ସୁନିଶ୍ଚିତ କରିବ।

ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ‘ଜାତୀୟ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ’ର ପରିକଳ୍ପନା କରିଛି। ଏହି କାର୍ଯ୍ୟକ୍ରମ ସାମାଜିକ ପ୍ରଭାବ ପାଇଁ ଅନ୍ତର୍ଭୁକ୍ତୀକରଣ, ସୃଜନଶୀଳତା ଏବଂ ଏଆଇ ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ରୂପରେଖ ଭାବରେ କାର୍ଯ୍ୟ କରେ। ଏହି କାର୍ଯ୍ୟକ୍ରମର ଚାରୋଟି ସ୍ତମ୍ଭ ହେଲା:

  • ଏଆଇ ପାଇଁ ଜାତୀୟ କେନ୍ଦ୍ର
  • ଡାଟା ପରିଚାଳନା କାର୍ଯ୍ୟାଳୟ
  • ଏଆଇ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ
  • ଦାୟିତ୍ୱସମ୍ପନ୍ନ ଏଆଇ

#ଏଆଇଫରଅଲ

ନୀତି ସହିତ ସାମଞ୍ଜସ୍ୟ ରଖି ସରକାର ପ୍ରତ୍ୟେକ ଜୀବନ ପର୍ଯ୍ୟାୟ ପାଇଁ ସ୍ୱୟଂ-ଶିକ୍ଷା ଅନଲାଇନ୍ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ସମସ୍ତେ ଡିଜିଟାଲ୍ ପରିବର୍ତ୍ତନ ସହିତ ପରିଚିତ ହୋଇପାରିବେ। ଏହି କାର୍ଯ୍ୟକ୍ରମଟି ଦୁଇଟି ଭାଗରେ ବିଭକ୍ତ, ଯଥା-ଏଆଇ ଅବଗତି ଏବଂ ଏଆଇ ପ୍ରଶଂସା।

ଭାସିନୀ (BHASHINI) ପଦକ୍ଷେପ, ୩୬ରୁ ଅଧିକ ଭାଷା ପାଇଁ ଏଆଇ ବ୍ୟବହାର କରୁଛି ଏବଂ ଏହାକୁ ୧.୨ ମିଲିୟନରୁ ଅଧିକ ମୋବାଇଲ୍ ଆପ୍ ଡାଉନଲୋଡ୍ କରାଯାଇଛି, ଯାହା ଡିଜିଟାଲ୍ ଅର୍ଥନୀତିରେ ଯୋଗାଯୋଗ ବାଧାକୁ ଦୂର କରୁଛି। ଏହା କାର୍ଯ୍ୟବଳର ଅଂଶଗ୍ରହଣକୁ ବୃଦ୍ଧି କରୁଛି, ବିଶେଷ କରି ଅଣ-ଇଂରାଜୀ ଭାଷୀ ଅଞ୍ଚଳର ଲୋକଙ୍କ ପାଇଁ, ଏବଂ ସ୍ଥାନୀୟ ଉଦ୍ୟୋଗୀ ଓ ଡିଜିଟାଲ୍ କର୍ମଚାରୀଙ୍କୁ ସଶକ୍ତ କରୁଛି।

ଆର୍ଥିକ ସର୍ଭେ ୨୦୨୫-୨୬ ଅନୁଯାୟୀ, ଦେଶ ମଧ୍ୟରେ ଏଆଇ ଗ୍ରହଣର ଗତିକୁ ନିୟନ୍ତ୍ରିତ କରିବା ପାଇଁ ଏକ ‘ଏଆଇ ଆର୍ଥିକ ପରିଷଦ‘ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିଷଦ ସୁନିଶ୍ଚିତ କରିବ ଯେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ଯେପରି ‘ମାନବିକ ବୁଦ୍ଧିମତା’ ବଦଳରେ ନ ହୁଏ। ସେମାନେ ଏକ ସମନ୍ୱୟ ପ୍ରାଧିକରଣ ଭାବରେ କାର୍ଯ୍ୟ କରିବେ ଯିଏ ସମ୍ବଳ ପ୍ରତିବନ୍ଧକ ଏବଂ ବିକାଶମୂଳକ ପ୍ରାଥମିକତାଗୁଡ଼ିକୁ ପରିଚାଳନା କରିବା ସହିତ ଭାରତର ଶିକ୍ଷା ଏବଂ ଦକ୍ଷତା ଭିତ୍ତିଭୂମିର ବିକାଶ ସହିତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗକୁ ସମନ୍ୱିତ କରିବେ।

ଏହି ସମସ୍ତ କାର୍ଯ୍ୟକ୍ରମ ମିଳିତ ଭାବେ ଭାରତରେ କାର୍ଯ୍ୟର ପ୍ରକୃତିକୁ ପୁନଃ ରୂପାନ୍ତରିତ କରୁଛି ଏବଂ ବିକଶିତ ଡିଜିଟାଲ୍ ଯୁଗରେ ଉତ୍ପାଦନ, ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ନିଯୁକ୍ତି ସୃଷ୍ଟି ପାଇଁ ଏଆଇକୁ ବ୍ୟବହାର କରିବାକୁ ଦେଶକୁ ପ୍ରସ୍ତୁତ କରୁଛି।

ଦକ୍ଷତା ବିକାଶ ପଦକ୍ଷେପଗୁଡ଼ିକ

୧. ଜାତୀୟ ଶିକ୍ଷା ନୀତି ୨୦୨୦:

ଏହି ନୀତି ଶିକ୍ଷାର ସମସ୍ତ ସ୍ତରରେ ଡିଜିଟାଲ୍ ଏବଂ ଏଆଇ ସାକ୍ଷରତାକୁ ମୌଳିକ ଦକ୍ଷତା ଭାବରେ ଗୁରୁତ୍ୱ ଦିଏ। ପାଠ୍ୟକ୍ରମରେ କମ୍ପ୍ୟୁଟେସନାଲ ଚିନ୍ତାଧାରା ଏବଂ ଏଆଇ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ଏହି ନୀତି ସୁନିଶ୍ଚିତ କରେ ଯେ ଭାରତର ପରବର୍ତ୍ତୀ ପିଢ଼ି ପରିବର୍ତ୍ତନଶୀଳ ବୈଷୟିକ ପରିବେଶ ପାଇଁ ପ୍ରସ୍ତୁତ ହୋଇ କାର୍ଯ୍ୟବଳରେ ପ୍ରବେଶ କରିବେ।

୨. ସ୍କିଲ୍ ଇଣ୍ଡିଆ ମିଶନ:

ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରାଳୟ (ଏମ୍‍ଏସ୍‍ଡିଇ) ନେତୃତ୍ୱରେ ପରିଚାଳିତ ସ୍କିଲ୍ ଇଣ୍ଡିଆ ମିଶନ ଏହାର ପ୍ରଶିକ୍ଷଣ ପରିବେଶରେ ଏଆଇ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରୁଛି। ଡିସେମ୍ବର ୨୦୨୫ ସୁଦ୍ଧା, SOAR (Skilling for AI Readiness) ପଦକ୍ଷେପରେ ୧.୩୪ ଲକ୍ଷ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ପଞ୍ଜୀକୃତ ହୋଇଛନ୍ତି। ଏହି ପଦକ୍ଷେପ ଅଧୀନରେ ମାଇକ୍ରୋସଫ୍ଟ, ଏଚ୍‍ସିଏଲ୍‍ ଟେକ୍ନୋଲୋଜି ଏବଂ ନେସକମ୍‍ ର ସହଯୋଗରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ମୌଳିକ ଏବଂ ପ୍ରାୟୋଗିକ ଏଆଇ ଦକ୍ଷତାରେ ସଜ୍ଜିତ କରିବା ପାଇଁ ଏଆଇ-ରେଡିନେସ୍ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଭାରତର ମାନ୍ୟବର ରାଷ୍ଟ୍ରପତି ମଧ୍ୟ ଏଆଇ ପ୍ରସ୍ତୁତି ବିଷୟରେ ଜନସଚେତନତା ବୃଦ୍ଧି ପାଇଁ SOAR ଅଧୀନରେ #SkilltheNation challenge ର ଶୁଭାରମ୍ଭ କରିଛନ୍ତି।

୩. YUVAi (Youth for Unnati with AI):

ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ନ୍ୟାସନାଲ୍ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପଦକ୍ଷେପଟି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା, ବୈଷୟିକ ଏବଂ ସାମାଜିକ ଦକ୍ଷତାରେ ସଜ୍ଜିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯୁବ ଶିକ୍ଷାର୍ଥୀମାନଙ୍କୁ ଆଠଟି ବିଷୟବସ୍ତୁ କ୍ଷେତ୍ରରେ ଏଆଇ-ଚାଳିତ ସମାଧାନଗୁଡ଼ିକର ଅନୁସନ୍ଧାନ ଏବଂ ପ୍ରୟୋଗ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା:

YUVAi ର ଆଠଟି ବିଷୟବସ୍ତୁ କ୍ଷେତ୍ର  
କୃଷି ଆରୋଗ୍ୟ)
ଶିକ୍ଷା ପର୍ଯ୍ୟାବରଣ
ପରିବହନ ଗ୍ରାମୀଣ ବିକାଶ
ସ୍ମାର୍ଟ ସିଟି ବିଧି ଏବଂ ନ୍ୟାୟ

୪.  ସମସ୍ତଙ୍କ ପାଇ ‘YUVA AI’: ଏହା ଏଆଇ ସାକ୍ଷରତାକୁ ଏକ ପ୍ରମୁଖ ଜୀବନ ଦକ୍ଷତା କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ, ଯାହାର ଲକ୍ଷ୍ୟ ହେଉଛି ୧ କୋଟି (୧୦ ମିଲିୟନ) ନାଗରିକଙ୍କୁ ମୌଳିକ ଏଆଇ ଦକ୍ଷତାରେ ସଶକ୍ତ କରିବା। ଏହି ପାଠ୍ୟକ୍ରମଟି ଫ୍ୟୁଚର ସ୍କିଲ୍ସ, Prime, iGOTKarmayogi, DIKSHA ଏବଂ ଅନ୍ୟାନ୍ୟ ଜନପ୍ରିୟ ଏଡ୍-ଟେକ୍ ପୋର୍ଟାଲରେ ୧୧ଟି ଭାଷାରେ (ଅସମୀୟା, ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ) ଉପଲବ୍ଧ।

୫. କୃତ୍ରିମ ବୁଦ୍ଧିମତା ଏବଂ କମ୍ପ୍ୟୁଟେସନାଲ ଚିନ୍ତାଧାରା: ଏଆଇ ଏବଂ CT ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷାର ଅପରିହାର୍ଯ୍ୟ ଅଂଶ। ଏଗୁଡ଼ିକ ଶିକ୍ଷାଦାନ, ଚିନ୍ତାଧାରା ଏବଂ ଶିକ୍ଷା ଗ୍ରହଣର ଧାରଣାକୁ ମଜବୁତ କରେ ଏବଂ ଧୀରେ ଧୀରେ “ଜନସାଧାରଣଙ୍କ ମଙ୍ଗଳ ପାଇଁ ଏଆଇ”  ଧାରଣା ଆଡକୁ ସମ୍ପ୍ରସାରିତ ହେବ। ଏହି ପଦକ୍ଷେପ ଏଆଇ ର ନୈତିକ ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହି ପ୍ରଯୁକ୍ତିବିଦ୍ୟାକୁ ତୃତୀୟ ଶ୍ରେଣୀରୁ ହିଁ ମୌଳିକ ସ୍ତରରେ ସାମିଲ କରାଯାଇଛି।

୬. ଫ୍ୟୁଚର ସ୍କିଲ୍ସ ପ୍ରାଇମ୍ ପଦକ୍ଷେପ:  ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ନାସକମର ମିଳିତ ସହଯୋଗରେ ପରିଚାଳିତ ଏହି ପଦକ୍ଷେପ ଏଆଇ, ବିଗ୍ ଡାଟା, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ବୃତ୍ତିଗତମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଏ। ଏହି ପଦକ୍ଷେପଗୁଡ଼ିକ ଜାତୀୟ ବୃତ୍ତିଗତ ମାନଦଣ୍ଡ ଏବଂ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା ସହିତ ସମନ୍ୱିତ। ୨୫.୩ ଲକ୍ଷରୁ ଅଧିକ ପଞ୍ଜୀକୃତ ଶିକ୍ଷାର୍ଥୀ ଏବଂ ୩୦୦୦+ ପାଠ୍ୟକ୍ରମ ସହିତ, ଏହି ପ୍ଲାଟଫର୍ମ ଶ୍ରମ ଶକ୍ତିର ରୂପାନ୍ତରଣରେ ସିଧାସଳଖ ଯୋଗଦାନ କରୁଛି।

୭. ଇଣ୍ଡିଆ ଏଆଇ ଫ୍ୟୁଚର ସ୍କିଲ୍ସ: ଇଣ୍ଡିଆ ଏଆଇ  ମିଶନ (୨୦୨୪) ଅଧୀନରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ, ସ୍ନାତକଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷା ସ୍ତରରେ ଏଆଇ-ଦକ୍ଷ ବୃତ୍ତିଗତମାନଙ୍କର ଏକ ସୁଦୃଢ଼ ପରିବେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଏହାର ପ୍ରମୁଖ ଅଂଶଗୁଡ଼ିକ ହେଲା ଫେଲୋସିପ୍ କାର୍ଯ୍ୟକ୍ରମ, ଏଆଇ ଏବଂ ଡାଟା ଲ୍ୟାବ୍ ପ୍ରତିଷ୍ଠା ଏବଂ ବିଶେଷ ଦକ୍ଷତା-ବୃଦ୍ଧି ପାଠ୍ୟକ୍ରମ। ଡିସେମ୍ବର ୨୦୨୫ ସୁଦ୍ଧା, ସରକାର ୫୦୦ ଜଣ ପିଏଚଡି ସ୍କଲାର, ୫,୦୦୦ ସ୍ନାତକୋତ୍ତର ଏବଂ ୮,୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଏଆଇ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସହାୟତା ପ୍ରଦାନ କରୁଛନ୍ତି। NIELIT ମାଧ୍ୟମରେ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକରେ ୨୭ଟି ‘ଇଣ୍ଡିଆଏଆଇ ଡାଟା ଏବଂ ଏଆଇ ଲ୍ୟାବ୍’ ପ୍ରତିଷ୍ଠା କରାଯାଇଛି।

୮. ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ହବ୍ (SIDH): ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମରେ ଏଆଇ ଏବଂ ମସିନ୍ ଲର୍ଣ୍ଣିଂ ପାଇଁ ପ୍ରାରମ୍ଭିକ ସ୍ତରରୁ ଆରମ୍ଭ କରି ଉନ୍ନତ ସ୍ତର ପର୍ଯ୍ୟନ୍ତ ବିବିଧ ପାଠ୍ୟକ୍ରମ ଉପଲବ୍ଧ।

ଏକ ଭବିଷ୍ୟତ–ପ୍ରସ୍ତୁତ ଏବଂ ଅନ୍ତର୍ଭୁକ୍ତ କାର୍ଯ୍ୟବଳ ଆଡକୁ

ଭାରତ ଏକ ଏଆଇ-ଚାଳିତ ପରିବର୍ତ୍ତନର ଅଗ୍ରଭାଗରେ ଅଛି, ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ଉତ୍ପାଦନ, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିକୁ ଗତିଶୀଳ କରୁଛି। ସୁଦୃଢ଼ ଡିଜିଟାଲ୍ ଭିତ୍ତିଭୂମି, ଯୁବ କାର୍ଯ୍ୟବଳ ଏବଂ ପ୍ରଗତିଶୀଳ ନୀତି ସହିତ, ଦେଶ ଅନ୍ତର୍ଭୁକ୍ତ ବିକାଶ ପାଇଁ ଏଆଇ ର ବ୍ୟବହାର କରିବାକୁ ସୁସଜ୍ଜିତ ଅଛି। ସରକାରଙ୍କ ଏହି ସମନ୍ୱିତ ପଦ୍ଧତି ସୁନିଶ୍ଚିତ କରେ ଯେ ଏଆଇ ନିଯୁକ୍ତି ସୁଯୋଗ ବଢ଼ାଇବା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବ୍ୟବଧାନକୁ ଦୂର କରିବ। ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତୀକରଣ ସହିତ ସମନ୍ୱିତ କରି ଭାରତ ଏକ ସ୍ଥିତିସ୍ଥାପକ ଏବଂ ଭବିଷ୍ୟତ-ପ୍ରସ୍ତୁତ କାର୍ଯ୍ୟବଳ ଗଠନ କରୁଛି।

କୃତ୍ରିମ ବୁଦ୍ଧିମତା ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗ ତୃତୀୟ ସ୍ଥାନ ଭାରତ ଷ୍ଟାନଫୋର୍ଡ ୟୁନିଭରସିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026

ଦୁଇ ଦିନିଆ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ 

March 1, 2026
Latest News

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.