ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ ଦ୍ୱାରା “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ କରାଯିବା ସହିତ ପୂର୍ବତଟ ରେଳପଥ ମୁଖ୍ୟାଳୟର ସଭା ଗୃହ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଥିଲା। ଯେଉଁଥିରେ ଏହି ସଂକଳ୍ପ ପ୍ରତି ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ଆନୁଷ୍ଠାନିକ ଭାବରେ ପାଠ କରାଯାଇଥିଲା।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରମୁଖ ବିଭାଗୀୟ ମୁଖ୍ୟ, ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହା ସହିତ, ଜୋନର ସମସ୍ତ ମଣ୍ଡଳରେ ସମାନ ଭାବରେ ଏହି ସଭାର ଆୟୋଜନ କରାଯାଇଥିଲା।
“ସେବା ସଂକଳ୍ପ ପ୍ରସ୍ତାବ” କୁ ଆନୁଷ୍ଠାନିକ ଭାବେ ପାଠ କରାଯାଇ ପାରଦର୍ଶିତା, କାର୍ଯ୍ୟକୁଶଳତା, ଦାୟିତ୍ୱବୋଧ ଏବଂ ନାଗରିକ କେନ୍ଦ୍ରିକ ଶାସନ ପ୍ରତି ଏକ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରାଯାଇଥିଲା। ଏହି ସଂକଳ୍ପ ଭାରତୀୟ ରେଳପଥର କାର୍ଯ୍ୟଦକ୍ଷଯତା, ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ପ୍ରତିବଦ୍ଧତାକୁ ସୁଦୃଢ଼ କରିବାରେ ସହାୟକ ହେବ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ଫୁଙ୍କୱାଲ ଗୁରୁତ୍ୱାରୋପ କରିଥିଲେ ଯେ “ସେବା” ହେଉଛି ଭାରତୀୟ ରେଳବାଇର ଆତ୍ମା ଏବଂ ଏହାର କାର୍ଯ୍ୟକାରିତାର ମାର୍ଗଦର୍ଶୀ ନୀତି। ସେ ଅବଲୋକନ କରିଥିଲେ ଯେ ଏହି ପ୍ରତିଜ୍ଞା ଉପନିବେଶୀୟ ଯୁଗର ପ୍ରଶାସନିକ ମନୋଭାବକୁ ପରିତ୍ୟାଗ କରି ଭାରତୀୟ ମୂଲ୍ୟବୋଧ ଆଧାରିତ ଶାସନ ପ୍ରଣାଳୀକୁ ଅଙ୍ଗୀକାର କରିବାର ପ୍ରୟାସକୁ ପ୍ରତିଫଳିତ କରେ।
ବୈଠକ ସମୟରେ, ପ୍ରମୁଖ ବିଭାଗୀୟ ମୁଖ୍ୟମାନେ ଦୈନନ୍ଦିନ କାର୍ଯ୍ୟରେ ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାରିକ ପରାମର୍ଶ ପ୍ରଦାନ କରିଥିଲେ। ସେବା ଯୋଗାଣରେ ଉନ୍ନତି, ଯାତ୍ରୀ ସୁବିଧାକୁ ଉନ୍ନତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଗଠନମୂଳକ ଏବଂ ଭବିଷ୍ୟତମୁଖୀ ଥିଲା।
ସଂକଳ୍ପର ସାମୂହିକ ପାଠ ପୂର୍ବତଟ ରେଳପଥର ସେବା ପ୍ରତି ସମର୍ପଣ, ଭାରତ ସରକାରଙ୍କ ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଲୋକକେନ୍ଦ୍ରିତ ରେଳ ସେବାକୁ ନିରନ୍ତର ଉନ୍ନତ କରିବା ପାଇଁ ପ୍ରତିବଦ୍ଧତାକୁ ପ୍ରରିପ୍ରକାଶ କରିଥିଲା।


