ଖୋର୍ଦ୍ଧା: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ବାବଦକୁ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ୫,୦୦୦ କୋଟିରୁ ଊର୍ଦ୍ଧ୍ୱର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ପରିପ୍ରେକ୍ଷୀରେ
ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।
ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଓଡ଼ିଶାର ନାରୀଶକ୍ତି ପାଇଁ ସ୍ୱାବଲମ୍ବନର ଏକ ନୂତନ ସୂର୍ଯ୍ୟୋଦୟ।
ଆଜି ଓଡ଼ିଶାର ମହିଳାମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ପାଉଥିବା ବେଳେ ‘ଲକ୍ଷପତି ଦିଦି’ ଅଭିଯାନ ଜରିଆରେ ନୂତନ ଉଦ୍ୟୋଗୀ ଭାବେ ଆତ୍ମପ୍ରକାଶ କରୁଛନ୍ତି। ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଥିବା ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରୁଛି। ସେହିପରି ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା ଜରିଆରେ ମା’ ଓ ଶିଶୁ କଲ୍ୟାଣକୁ ସୁନିଶ୍ଚିତ କରାଯାଉଛି। ‘ସୁଭଦ୍ରା ୱେଲନେସ୍ ସେଣ୍ଟର’ ଓ ‘ସୁଭଦ୍ରା ଶକ୍ତି ସମ୍ବାଦ’ ଭଳି ଅଭିନବ ପ୍ରୟାସ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତାକୁ ଆହୁରି ମଜବୁତ କରୁଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଚଳିତ ବର୍ଷର ଥିମ୍ “ସମସ୍ତ ମହିଳା ଓ କନ୍ୟାମାନଙ୍କ ପାଇଁ ଅଧିକାର, ନ୍ୟାୟ, କାର୍ଯ୍ୟ” ଆମକୁ ସ୍ମରଣ କରାଏ ଯେ କେବଳ ଅଧିକାରର କଥା କହିବା ନୁହେଁ, ବରଂ ଏହାକୁ ବ୍ୟବହାରିକ ଭାବରେ ଜୀବନରେ ଲାଗୁ କରିବା ଆବଶ୍ୟକ। ଆସନ୍ତୁ, ଆମେ ଏପରି ଏକ ସମାଜ ଗଠନ ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା, ଯେଉଁଠାରେ ପ୍ରତ୍ୟେକ ମହିଳା ସମ୍ମାନ, ସୁରକ୍ଷା ଏବଂ ସ୍ୱାଧୀନତା ସହିତ ବଢ଼ିବା ଏବଂ ବଞ୍ଚିବା ପାଇଁ ସମାନ ସୁଯୋଗ ପାଇବେ।ମହିଳାମାନଙ୍କ ଆକାଂକ୍ଷା ଓ ସଫଳତା ଏକ ଅଧିକ ସମତାମୂଳକ ଭବିଷ୍ୟତ ଗଢ଼ିବାରେ ପଥ ପ୍ରଦର୍ଶନ କରୁଥିବା ଏକ ଉତ୍ତମ ପରିବେଶ ସୃଷ୍ଟି କରିବା।
ଏହି ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ରାଜ୍ୟ ମହିଳା କମିଶନର ସଦସ୍ୟା ଉର୍ମିଳା ମହାପାତ୍ର,ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚ଼ନ୍ଦ୍ର ବେଉରାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଜିଲ୍ଳାର ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।


