ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଘରୋଇ ଗ୍ୟାସ୍ ସିଲିଣ୍ଡର (ଏଲପିଜି) ପାଇଁ ବୁକିଂ ଅବଧିକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ଏହାକୁ ୨୧ ଦିନରୁ ୨୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କଳାବଜାରୀ ଏବଂ ମହଜୁଦକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର କହିଛନ୍ତି ଯେ, ବର୍ତ୍ତମାନ ଘରୋଇ ଗ୍ୟାସ୍ କିମ୍ବା ଡିଜେଲ କିମ୍ବା ପେଟ୍ରୋଲର କୌଣସି ଅଭାବ ନାହିଁ।
ବର୍ଦ୍ଧିତ ଏଲପିଜି ସିଲିଣ୍ଡର ବୁକିଂ ଅବଧି:
ମନ୍ତ୍ରଣାଳୟ ମାତ୍ର ତିନି ଦିନ ପୂର୍ବରୁ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି ୧୫ ଦିନରୁ ୨୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା, କିନ୍ତୁ ବର୍ତ୍ତମାନ ଏହି ଅବଧିକୁ ୨୧ ଦିନରୁ ୨୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଗ୍ରାହକମାନଙ୍କୁ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ୨୪ ଦିନର ବ୍ୟବଧାନ ବଜାୟ ରଖିବାକୁ ପଡିବ।
ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି
ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଦିନ ପୂର୍ବରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ଏବଂ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ୧୧୪.୫୦ ବୃଦ୍ଧି କରାଯାଇଥିଲା। ଇଣ୍ଡିଆନ ଅଏଲ କର୍ପୋରେସନ (IOC) ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ଏକ ଅଣ-ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଏବେ ୯୧୩ ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ ୮୫୩ ଟଙ୍କା ଥିଲା।
ଏହା ଏକ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ଦ୍ୱିତୀୟ ବୃଦ୍ଧି। ଏହି ମୂଲ୍ୟ ବୃଦ୍ଧି ମାର୍ଚ୍ଚ ୭ ତାରିଖରୁ ଲାଗୁ ହୋଇଥିଲା। ପୂର୍ବରୁ, ଗତ ବର୍ଷ ଏପ୍ରିଲରେ ୫୦ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଥିଲା।


