ନୂଆଦିଲ୍ଲୀ: ଜାତୀୟ ମାନବାଧିକାର କମିଶନ (ଏନଏଚଆରସି), ଏକ ଗଣମାଧ୍ୟମ ରିପୋର୍ଟକୁ ସ୍ୱତଃପ୍ରବୃତ୍ତ ଭାବେ ଗ୍ରହଣ କରି ଏଥିରେ ଦର୍ଶାଯାଇଛି ଯେ, ବିହାରରେ ୨୦୧୩ ମସିହାରୁ ପ୍ରତିବର୍ଷ ପଞ୍ଜିକୃତ ହେଉଥିବା ୧୨,୦୦୦ ରୁ ୧୪,୦୦୦ ନିଖୋଜ ମାମଲା ମଧ୍ୟରୁ ଅନେକ ଶିଶୁ ଅଛନ୍ତି, ଏବଂ ନିଖୋଜ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ-ତୃତୀୟାଂଶ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ରିପୋର୍ଟ ଅନୁଯାୟୀ, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ସୂଚାଉଛି ଯେ ଓଡ଼ିଶା, ବିହାର, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ସର୍ବାଧିକ ମାନବ ଚାଲାଣ ମାମଲା ପଞ୍ଜିକୃତ ହୋଇଛି। ନାବାଳକ ପୁଅ ଚାଲାଣ କ୍ଷେତ୍ରରେ ଓଡ଼ିଶା ତାଲିକାର ଶୀର୍ଷରେ ଥିବାବେଳେ ଏହା ପଛକୁ ବିହାର ରହିଛି।
ସେହିପରି ନାବାଳିକା ଝିଅ ଚାଲାଣ କ୍ଷେତ୍ରରେ ରାଜସ୍ଥାନରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି। ୯ ମାର୍ଚ୍ଚ ୨୦୨୬ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଶିଶୁମାନଙ୍କୁ ଭିକ୍ଷାବୃତ୍ତି, ଶିଶୁ ଶ୍ରମିକ, ବେଶ୍ୟାବୃତ୍ତି ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସନ୍ଦେହ କରାଯାଉଛି।
କମିଶନ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ, ଯଦି ସମ୍ପୃକ୍ତ ସମ୍ବାଦର ବିଷୟବସ୍ତୁ ସତ୍ୟ ହୁଏ, ତେବେ ଏହା ପୀଡ଼ିତମାନଙ୍କ ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ରାଜ୍ୟଗୁଡିକ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକଙ୍କୁ ଠାବ କରାଯାଉଛି ବୋଲି ପ୍ରକାଶିତ ଚିନ୍ତାଜନକ ବିଷୟକୁ ମଧ୍ୟ କମିଶନ ଗ୍ରହଣ କରିଛନ୍ତି। ତେଣୁ, ବିହାର, ଓଡ଼ିଶା, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ରାଜସ୍ଥାନର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି କମିଶନ।
ବୃଦ୍ଧି ପାଉଥିବା ନିଖୋଜ ବ୍ୟକ୍ତି, ବିଶେଷ କରି ଶିଶୁମାନଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା କିମ୍ବା ପ୍ରସ୍ତାବିତ ପଦକ୍ଷେପଗୁଡ଼ିକୁ ଏହି ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଏଥିସହ, କମିଶନ ଏହି ରାଜ୍ୟଗୁଡିକରେ ନିଖୋଜ ବ୍ୟକ୍ତିଙ୍କ ସ୍ଥିତି ସମ୍ପର୍କରେ ଏନସିଆରବିରୁ ଦୁଇ ସପ୍ତାହ ମଧ୍ୟରେ ସଦ୍ୟତମ ପରିସଂଖ୍ୟାନ ତଥ୍ୟ ଲୋଡ଼ିଛନ୍ତି।


