ଭୁବନେଶ୍ୱର: ପ୍ରାକ ଔପନିବେଶିକ ଭାବେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଇତିହାସ, ପ୍ରାରମ୍ଭିକ ରାଜ୍ୟ ଗଠନ ଏବଂ ଇତିହାସ ଲିଖନ, ଓଡ଼ିଶା ଉପରେ ଗୁରୁତ୍ୱ ସହିତ ଭାରତର ଆଞ୍ଚଳିକ ସଂସ୍କୃତି; ଦକ୍ଷିଣପୂର୍ବ ଏସିଆ ଏବଂ ଭାରତ ମହାସାଗର ଉପରେ ଅଧ୍ୟୟନ ଜାରି ରଖିବାରେ ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲ୍କେଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅନ୍ତର୍ଜାତୀୟ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲକେଙ୍କ ସ୍ମୃତି ଉପଲକ୍ଷେ ୧୪ ମାର୍ଚ୍ଚ ୨୦୨୬ ଶନିବାର ସନ୍ଧ୍ୟା ୬.୦୦ ଘଟିକାରେ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନଠାରେ ଆମନ୍ତ୍ରିତ ଅତିଥି ଓ ବକ୍ତାମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା।
ବିଶିଷ୍ଟ ଅନୁବାଦକ ଓ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପ ସଭାପତି ଡକ୍ଟର ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ବିଶିଷ୍ଟ ଅତିଥି ଭାବେ କଥାକାର ଓ ସ୍ତମ୍ଭକାର ଡକ୍ଟର ଗୌରହରି ଦାସ ଯୋଗଦାନ କରି ହର୍ମାନ କୁଲ୍କେଙ୍କ ବିଭିନ୍ନ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବରେଣ୍ୟ ଅତିଥି ଭାବେ ପ୍ରଫେସର ଅମୀୟ କୁମାର ମହାନ୍ତି ଯୋଗଦାନ କରି ପ୍ରଫେସର କୁଲ୍କେଙ୍କ ସହିତ ଅତିବାହିତ କରିଥିବା ବିଭିନ୍ନ ଘଟଣାବଳୀକୁ ନେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ସମ୍ମାନନୀୟ ବକ୍ତା ଭାବରେ ଡକ୍ଟର କୈଳାସ ଚନ୍ଦ୍ର ଦାଶ ଯୋଗଦାନ କରି ପ୍ରଫେସର କୁଲ୍କେଙ୍କ ଲିଖିତ ଶ୍ରୀଜଗନ୍ନାଥ ସଂସ୍କୃତି ତତ୍ତ୍ୱ ଓ ଶ୍ରୀଗଜପତିଙ୍କ ସାମ୍ରାଜ୍ୟକୁ ନେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସୁସାହିତ୍ୟିକ, ଅନୁବାଦକ ତଥା ସମାଲୋଚକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ପ୍ରଫେସର କୁଲ୍କେଙ୍କ ବହୁମୁଖୀ ପ୍ରତିଭା ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ବିଶିଷ୍ଟ ସାହିତ୍ୟିକ, କଥାକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଫେସର କୁଲ୍କେଙ୍କ ବିଭିନ୍ନ ଗବେଷଣା ପ୍ରକଳ୍ପ, ଓଡ଼ିଶାର ଇତିହାସ,ଐତିହ୍ୟ ସଂସ୍କୃତିକୁ ଆଧାରକରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଅନୁବାଦକ ଓ କବି ଡକ୍ଟର ସଂଗ୍ରାମ ଜେନା ସଭାମୁଖ୍ୟ ଭାବେ ଯୋଗଦାନ କରି ପୂର୍ବରୁ ଆଲୋଚନା କରିଥିବା ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ପ୍ରଫେସର ହର୍ମାନ କୁଲ୍କେଙ୍କ ରଚିତ ବିଭିନ୍ନ ଘଟଣାବଳୀକୁ ନେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ଏହି ମହାନ୍ ପ୍ରତିଭାଧର ତଥା ବିଶିଷ୍ଟ ଐତିହାସିକଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏକାଡେମୀର ସହ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ସ୍ୱାଗତ ଭାଷଣ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜ୍ଞାନୀ, ଗୁଣୀ, ସଜ୍ଜନମଣ୍ଡଳୀ, ପ୍ରଫେସର କୁଲ୍କେଙ୍କ ଅନୁଗ୍ରାହୀ, ଭାଷା ପ୍ରେମୀ ଓ ସାମ୍ବାଦିକ ବନ୍ଧୁ ଇତ୍ୟାଦି ଯୋଗଦାନ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ।


