ରଣପୁର: ଆସନ୍ତା ୨୦୨୬–୨୭ ଶିକ୍ଷା ବର୍ଷର ପ୍ରବେଶ ଉତ୍ସବକୁ ଆଗରୁ ରଖି ରଣପୁର ବ୍ଲକରେ ଶିକ୍ଷା ପ୍ରଚାର ଜୋରଦାର ଭାବେ ଆରମ୍ଭ ହୋଇଛି। ସରକାରୀ ବିଦ୍ୟାଳୟରେ ଅଧିକ ସଂଖ୍ୟକ ଶିଶୁଙ୍କୁ ଭର୍ତ୍ତି କରାଇବା ପାଇଁ ବିଶେଷ ଅଭିଯାନ ଚାଲିଛି। ଏହାର ଅଂଶରୂପ କଣ୍ଡରାସିଂ ଓ ଦେଉଳି ଗ୍ରାମରେ ଶିଶୁ ବାଟିକା ପାଇଁ ଘରେ ଘରେ ପହଞ୍ଚି ଅଭିଭାବକମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି।
ଓଡିଶାର ବାଚସ୍ପତି ସୁରମା ପାଢ଼ୀଙ୍କର ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ଶିଶୁମାନଙ୍କୁ ଚକଲେଟ, ଗୋଲାପ ଫୁଲ ଓ ମିଠା ଦେଇ ସ୍ନେହଭରା ନିମନ୍ତ୍ରଣ ଜଣାଇଥିବାବେଳେ ଅଭିଭାବକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମ ସମୟରେ ବାଚସ୍ପତି ଓ ଶିକ୍ଷକମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ଶିଶୁ ବାଟିକାର ଗୁରୁତ୍ୱ, କ୍ରୀଡା ଆଧାରିତ ଶିକ୍ଷା ପ୍ରଣାଳୀ ଓ ଶିଶୁମାନଙ୍କ ସମଗ୍ର ବିକାଶ ବିଷୟରେ ଜଣାଇଥିଲେ। ଏହି ପଦକ୍ଷେପ ମାଧ୍ୟମରେ ପ୍ରାରମ୍ଭିକ ଶିକ୍ଷାରେ ଶିଶୁମାନଙ୍କ ସମ୍ମିଳନ ସହ ଅଭିଭାବକମାନଙ୍କ ମନରେ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇବାର ଲକ୍ଷ୍ୟ ରହିଛି।
ଗ୍ରାମବାସୀମାନଙ୍କ ମଧ୍ୟରେ ଏହି ଅଭିଯାନ ପ୍ରତି ଉତ୍ସାହଜନକ ସ୍ପନ୍ଦନ ଦେଖାଯାଇଛି। ଅନେକ ଅଭିଭାବକ ତାଙ୍କ ଶିଶୁମାନଙ୍କୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କଣ୍ଡରାସିଂ ଗ୍ରାମର ସିଲୁ ବେହେରା ମଧ୍ୟ ସରକାରଙ୍କ ଏହି ପଦକ୍ଷେପ ପ୍ରତି ସନ୍ତୋଷ ପ୍ରକାଶ କରି ଅନ୍ୟମାନଙ୍କୁ ସଚେତନ କରିବେ ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀପ୍ରିୟା ତରେଇ, ସମାଜସେବୀ ଅଭିଷେକ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ଅନ୍ୟାନ୍ୟ ଶିକ୍ଷାବିଦ୍, ଶିକ୍ଷକ-ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ସମସ୍ତଙ୍କ ମତାମତ ଅନୁସାରେ, ଏପରି ସଚେତନତାମୂଳକ ପ୍ରୟାସ ଶିଶୁମାନଙ୍କୁ ଶିକ୍ଷାର ମୂଳଧାରାରେ ଆଣିବା ସହ ସରକାରଙ୍କ ଶିକ୍ଷା ଯୋଜନାକୁ ସଫଳ କରିବାରେ ଦୃଢ଼ ଭୂମିକା ନିଭାଇବ।


