ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମଞ୍ଚେଶ୍ୱର ରେଳ ଷ୍ଟେସନରୁ ତାଳଚେର ଏବଂ ତାଳଚେରରୁ ବଳରାମ ଏବଂ ଅନୁଗୁଳ ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରି ରେଳପଥ ପରିଚାଳନା, ଭିତ୍ତିଭୂମି ବିକାଶ, ଟ୍ରାକର ଅବସ୍ଥା, ସିଗନାଲିଂ ସିଷ୍ଟମ, ସୁରକ୍ଷା ମାନଦଣ୍ଡ, ଷ୍ଟେସନ ଭିତ୍ତିଭୂମି, ଯାତ୍ରୀ ସୁବିଧା, ପଣ୍ୟ ପରିବହନ ବ୍ୟବସ୍ଥା ଏବଂ ଏହି ସେକ୍ସନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହିତ ସେ ସୁରକ୍ଷା, ପରିଚାଳନାଗତ ଦକ୍ଷତା ଏବଂ ଯାତ୍ରୀ ସୁବିଧା ଗୁଡିକର ଉଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ତାଳଚେର ଷ୍ଟେସନର ନିରୀକ୍ଷଣ
ତାଳଚେର ରେଳ ଷ୍ଟେସନରେ ଶ୍ରୀ ପରମେଶ୍ୱର ଫଙ୍କୱାଲ ଷ୍ଟେସନ ପରିସର ଯାଞ୍ଚ କରିଥିଲେ ଏବଂ ବିଭିନ୍ନ ଯାତ୍ରୀ କୈନ୍ଦ୍ରିକ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ପ୍ଲାଟଫର୍ମ ଅବସ୍ଥା, ପ୍ରତୀକ୍ଷାଳୟ ଭଳି ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ଗୁଡିକର ସମୀକ୍ଷା କରିଥିଲେ।
ନିରୀକ୍ଷଣ ସମୟରେ, ମହାପ୍ରବନ୍ଧକ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଷ୍ଟେସନ ମିଳୁଥିବା ବିଭିନ୍ନ ସୁବିଧା ଏବଂ ସେବା ସମ୍ପର୍କରେ ସେମାନଙ୍କର ମତାମତ ମଧ୍ୟ ନେଇଥିଲେ।
ସମସ୍ତ ଯାତ୍ରୀ ସୁବିଧା ଏବଂ ରେଳ ସମ୍ପତ୍ତିକୁ ସୁରକ୍ଷିତ, ଦକ୍ଷ ଏବଂ ଯାତ୍ରୀ-ଅନୁକୂଳ ବ୍ୟବହାର ବଜାୟ ରଖିବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଲୁଥିବା ବିଭିର୍ଣ୍ଣ ବିକାଶମୂଳକ ଏବଂ ଷ୍ଟେସନ ଉନ୍ନୟନ କାର୍ଯ୍ୟ ଗୁଡିକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ ଆହୁରିମଧ୍ୟ ଅଧିକାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ, ନିର୍ଭରଯୋଗ୍ୟ ଟ୍ରେନ ପରିଚାଳନା, ଉନ୍ନତ ଯାତ୍ରୀ ସୁବିଧା, ସୁଗମ ପଣ୍ୟ ପରିବହନ ଏବଂ ବିକାଶମୂଳକ କାର୍ଯ୍ୟର ସମୟୋଚିତ ଅଗ୍ରଗତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।ନିରୀକ୍ଷଣ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହିତ ଉପସ୍ଥିତ ଥିଲେ।
ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରେ ଭିତ୍ତିଭୂମି ଏବଂ ପରିଚାଳନାଗତ କ୍ଷମତାକୁ ସୁଦୃଢ଼ କରିବା ସହିତ ସୁରକ୍ଷିତ, ଦକ୍ଷ, ନିର୍ଭରଯୋଗ୍ୟ ଏବଂ ଯାତ୍ରୀ କୈନ୍ଦ୍ରିକ ରେଳ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ।


