ଭୁବନେଶ୍ଵର: ପ୍ରଥମ ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ରାଜ୍ୟପାଳ କହିଛନ୍ତି, ଓଡ଼ିଆ ଖେଳାଳିମାନେ ଏହି ପ୍ରତିଯୋଗିତାରେ କରିଥିବା ପ୍ରଦର୍ଶନ ରାଜ୍ୟ ପାଇଁ ସଫଳତା ସହ ଗୌରବ ଆଣିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଜାତୀୟସ୍ତରର ଏହି ପ୍ରତିଯୋଗିତାରେ ରାଜ୍ୟର ଜନଜାତି କ୍ରୀଡ଼ାବିତ୍ମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ସେମାନଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରତିଫଳନ। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


