ଭୁବନେଶ୍ଵର: ଆଜି ଓଡ଼ିଶା ଦିବସରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହାଆଡ଼ମ୍ବରରେ ପାଳିତ ହେବ ଓଡ଼ିଶାର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ସମୃଦ୍ଧ ପରମ୍ପରାର ଅନନ୍ୟ ପର୍ବ ‘ଓଡ଼ିଆ ପକ୍ଷ–୨୦୨୬’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆନନ୍ଦର ସହିତ ଏହି ମହାସମାରୋହରେ ସାମିଲ ହେବା ସହ ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ସର୍ବତ୍ର ପ୍ରସାରିତ କରିବାକୁ ଆହ୍ୱାନ ଦେଇଛନ୍ତି। ଲୋକଙ୍କ ସକ୍ରିୟ ସହଭାଗିତାକୁ ଲକ୍ଷ୍ୟ କରି ବ୍ଲକ୍ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ନାନାପ୍ରକାର ସାମ୍ପ୍ରଦାୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏହାସହିତ, ଖଡିଛୁଆଁ ଉତ୍ସବ ଭଳି ସ୍ବତନ୍ତ୍ର ପ୍ରୟାସ ମାଧ୍ୟମରେ ଯୁବପିଢ଼ୀଙ୍କୁ ‘ଓଡ଼ିଆ ପକ୍ଷ’ ସହ ଯୋଡ଼ିବା ଏବଂ ଓଡ଼ିଆ ସଂସ୍କୃତି ପ୍ରତି ଆକର୍ଷିତ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।


