ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଗତକାଲି ଟିଟିଲାଗଡରେ ସର୍ବାଧିକ ୪୧.୮ ଡିଗ୍ରୀ ଓ ରାୟଗଡାରେ ସର୍ବନିମ୍ନ ୧୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବିଶେଷକରି ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ଵର , କେନ୍ଦୁଝର, ଗଜପତି, ଗଞ୍ଜାମ ଓ ରାୟଗଡା ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ନେଇ ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।


