ଭୁବନେଶ୍ଵର: ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି ଘଟିଛି। ଏହା ୧୧ ଦଶମିକ ୪୦ ପ୍ରତିଶତ ରହିଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୨୩ରେ ସମାପ୍ତ ଅବଧି ପାଇଁ କରାଯାଇଥିବା ସମୀକ୍ଷା ରିପୋର୍ଟରେ ଏହା ଦର୍ଶାଯାଇଛି। ଭୁବନେଶ୍ୱରରେ ଏଜି ଅତୁଳ ପ୍ରକାଶ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ରାଜ୍ୟରେ ରାଜସ୍ୱ ବଳକା ପରିମାଣ ଥିଲା ୨୨ ହଜାର ୬୫୧ କୋଟି ଟଙ୍କା। ୨୦୨୪-୨୫ରେ ମୋଟ ୧ ଲକ୍ଷ ୮୩ ହଜାର ୯୬୩ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୨ ଦଶମିକ ୪୩ ପ୍ରତିଶତ ଅଧିକ। ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜସ୍ୱ ବ୍ୟୟ ରାଜସ୍ୱ ପ୍ରାପ୍ତିର ୮୨ ପ୍ରତିଶତକୁ ଅତିକ୍ରମ କରିଛି। ୨୦୨୦-୨୧ରେ ମୋଟ ବଜେଟ ପରିମାଣ ୧ ଲକ୍ଷ ୬୭ ହଜାର ୬୬୩ କୋଟି ଥିବାବେଳେ ୨୦୨୪-୨୫ରେ ଏହା ୭୧ ଦଶମିକ ୬୪ ବୃଦ୍ଧିପାଇ ୨ ଲକ୍ଷ ୮୭ ହଜାର ୭୭୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


