ମୁମ୍ବାଇ: ମହାରାଷ୍ଟ୍ରର ଦିବଙ୍ଗତ ନେତା ଅଜିତ ପାୱାରଙ୍କ ବାରାମତୀ ବିଧାନସଭା ଆସନ ପାଇଁ ଏକ ଉପ-ନିର୍ବାଚନ ଚାଲିଛି, ଯେଉଁଠାରେ ତାଙ୍କ ପତ୍ନୀ ଏବଂ ବର୍ତ୍ତମାନର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାରମ୍ଭରେ ଶାସକ ମହାୟୁତି ମେଣ୍ଟର ନେତାମାନେ ଆଶା କରୁଥିଲେ ଯେ, ସୁନେତ୍ରା ପାୱାରଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରାର୍ଥୀ ରହିବେ ନାହିଁ ଏବଂ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିବେ। କିନ୍ତୁ କଂଗ୍ରେସ ଆକାଶ ମୋରେଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ ଏବେ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି।
ପ୍ରଥମେ ଚନ୍ଦ୍ରଶେଖର ବାୱାନକୁଲେ କଂଗ୍ରେସକୁ ତାଙ୍କର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ଏବଂ ତା’ପରେ ଚେତାବନୀ ଦେଇଥିଲେ ଯେ, ଯଦି ସେମାନେ ଏପରି ନକରନ୍ତି, ତେବେ ସେମାନେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହେବେ। ଗଣମାଧ୍ୟମକୁ ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ, “କୌଣସି ପ୍ରାର୍ଥୀ ନଦେବା ପାଇଁ ମୁଁ କଂଗ୍ରେସ ଦଳକୁ ମୋର ଅନୁରୋଧ କରୁଛି। ସୁନେତ୍ରା ପାୱାରଙ୍କୁ ନିର୍ବାଚିତ କରନ୍ତୁ ଏବଂ ତାଙ୍କୁ ସମର୍ଥନ କରନ୍ତୁ। ମହାରାଷ୍ଟ୍ରର ଇତିହାସରେ ଏପରି ଅନେକ ଉଦାହରଣ ଅଛି ଯେଉଁଠାରେ ଆମେ ସମର୍ଥନ କରିଛୁ।”
ଅଜିତ ପାୱାରଙ୍କ ସହ କଂଗ୍ରେସର ସମ୍ପର୍କ ଉଲ୍ଲେଖ କରି ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ, “ଅଜିତ ଦାଦାଙ୍କର କଂଗ୍ରେସ ନେତାଙ୍କ ସହ ଭଲ ସମ୍ପର୍କ ଥିଲା। ସେ ତାଙ୍କ ଜୀବନର ୮୦ ପ୍ରତିଶତ କଂଗ୍ରେସ ନେତାଙ୍କ ସହ ବିତାଇଛନ୍ତି। ଅଜିତ ପାୱାର ଅନେକ କଂଗ୍ରେସ ନେତାଙ୍କ ସହ କାମ କରିଛନ୍ତି।” ଏହି ଉଦାହରଣ ବ୍ୟବହାର କରି ବାୱନକୁଲେ କଂଗ୍ରେସକୁ କହିବାକୁ ଚାହୁଁଛନ୍ତି ଯେ, ତାଙ୍କ ପ୍ରତି ସମ୍ମାନ ରଖି ଅଜିତ ପାୱାରଙ୍କ ଆସନରେ ପ୍ରାର୍ଥୀ ନ ଛିଡ଼ା କରାନ୍ତୁ।


