ଭୁବନେଶ୍ୱର: ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ତଥା ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଓଡ଼ିଆ ପକ୍ଷ’ ଡିଏଭି ପୋଖରୀପୁଟରେ ପାଳନ କରାଯାଉଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଆଜିର ଦିନକୁ ‘ବର୍ଣ୍ଣବୋଧ ଦିବସ’ ଭାବରେ ଅତି ଶ୍ରଦ୍ଧାରେ ପାଳନ କରାଯାଇଛି।
ଏହି ଅବସରରେ ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରକାଶିତ ମଧୁସୂଦନ ରାଓଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’କୁ ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ବଣ୍ଟନ କରାଯାଇ , ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ଦିନକୁ ଭାଷା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ବିଭାଗ ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ଆଜି ‘ଶିଶୁକଥା ଦିବସ’କୁ ଓଡ଼ିଶା ଷ୍ଟୋରି ଟେଲର ଫାଉଣ୍ଟେସନ୍ ତରଫରୁ ଆୟୋଜନ କରାଯାଇଥିଲା। ମୀରା ଝଞ୍ଜା ଦାସ ତଥା ତାଙ୍କ ସହକର୍ମୀଙ୍କ ଦ୍ୱାରା ଦଳଗତ ଭାବେ ‘ବିହଙ୍ଗ ବିପ୍ଳବ’ ଗଳ୍ପକୁ ସକ୍ରିୟାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା। ତୃତୀୟରୁ ସପ୍ତମ ଶ୍ରେଣୀର ନିରୀକ୍ଷିକା ପି.ଅନୁରାଧା ଓ ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଅତ୍ୟନ୍ତ ସଦ୍ଭାବନା ପୂର୍ବକ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ସେହିପରି କଥାବାଚକ ସବିତା ପଟ୍ଟନାୟକଙ୍କ ‘ସିଂହରାଜଙ୍କ ଶିରାଧ’ ଗଳ୍ପ ବିଦ୍ୟାର୍ଥୀଙ୍କ ନିମନ୍ତେ ଉପଭୋଗ୍ୟ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେବା ସହ ଓଡ଼ିଶା ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଓ କେଶବ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଦ୍ୱୟକୁ ପର୍ଯ୍ୟାୟ କ୍ରମେ ପରିଚାଳନା କରିଥିବାବେଳେ ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଷଣପ୍ରଭା ନନ୍ଦ ,ସୁଜାତା ମହାନ୍ତି, ମନୋଜ କୁମାର ନାହାକ , ଶକ୍ତି ପ୍ରସନ୍ନ ମହାନ୍ତି ଆଦି ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


