ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ପ୍ରକଳ୍ପଟିରେ ପୂର୍ଣ୍ଣଚ୍ଛେଦ ପକାଯାଇଥିବାବେଳେ ପୁଣି ତେଜିଛି ମେଟ୍ରୋ ରାଜନୀତି । ସାଂସଦ ଅପରାଜିତା ଷଡଙ୍ଗୀ ଏନେଇ ସରକାର ପୁନଃ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଇ ନିଷ୍ପତ୍ତିରେ ପୁନଃବିଚାର କରିବାକୁ ଅପରାଜିତା ଏହି ଚିଠିରେ ଉଲ୍ଲେଖ କରିଛନ୍ତି । କିିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ହିତ ପାଇଁ କରିବା ପାଇଁ କରାଯାଏ ବୋଲି ଏହି ଚିଠିରେ ସେ ମନ୍ତବ୍ୟ ଦେଇଛନ୍ତି । ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ କରିବା ଦିଗରେ ମେଟ୍ରୋ ପ୍ରକଳ୍ପଟି ସହାୟକ ହେବ । ପୂର୍ବରୁ ଏନେଇ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି କରିଥିଲେ ।
ମାତ୍ର ଏହା ଆଶାଜନକ ଲାଭ ଦେବନି ବୋଲି ରାଜ୍ୟସରକାର ଏହି ପ୍ରକଳ୍ପକୁ ଅଧାରୁ ବନ୍ଦ କରିଦେଇଥିଲେ । ରାଜ୍ୟ କ୍ୟାବିନେଟ୍ ଏହି ପ୍ରକଳ୍ପ ବନ୍ଦ ପ୍ରସ୍ତାବ ଉପରେ ମୋହର ଲଗାଇଥିଲା । ଏହାପରେ ଏହାକୁ ନେଇ ବିରୋଧୀ ବିଜେଡ଼ି ସରକାରଙ୍କୁ ତୀବ୍ର ବିରୋଧ କରିଥିଲା । ବିଜେଡି ସରକାର ଅମଳରେ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ଵର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ୟ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ମେଟ୍ରୋ ଗଡ଼ିବ ବୋଲି ଘୋଷଣା ହୋଇଥିଲା। ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ ହୋଇଥିଲା ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏଲିଭେଟେଡ୍ କରିଡର ହେବ ବୋଲି ନିଷ୍ପତ୍ତ ହୋଇଥିଲା । ଏହା ଆଶାଜନକ ଲାଭ ଦେବନି, ଆଶାନୁରୂପ ଯାତ୍ରୀ ହେବେନି କହି ରାଜ୍ୟ କ୍ୟାବିନେଟ୍ ଏହି ପ୍ରକଳ୍ପଟିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି।


