ଭୁବନେଶ୍ଵର: ମୁକ୍ତିଲାଭ କରିବାର ମାତ୍ର କିଛି ଦିନ ଭିତରେ ଦର୍ଶକଙ୍କ ହୃଦୟ ଜିଣିଥିବା ଭିନ୍ନ ସ୍ୱାଦର ଓଡ଼ିଆ ପାରିବାରିକ ଚଳଚ୍ଚିତ୍ର ‘ଆଫା- (ଲାଇଫ୍ ଆଫ୍ଟର୍ ଲାଇଫ୍)’ ଏବେ ଟେଲୁଗୁ ଭାଷାରେ ରିମେକ୍ ହେବାକୁ ଯାଉଛି। ଏନେଇ ହାଇଦ୍ରାବାଦରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରସାଦ କଳିଙ୍ଗ ଲ୍ୟାବର ନିର୍ଦ୍ଦେଶକ ସାଇ ପ୍ରସାଦ, ତେଲେଙ୍ଗାନା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ ର ଅଧ୍ୟକ୍ଷ ତଥା ବିଶିଷ୍ଟ ଟଲିଉଡ ପ୍ରଯୋଜକ ଦିଲ୍ ରାଜୁ ଏବଂ ସାଂସଦ ପ୍ରଭାତ ସିଂହଙ୍କ ଉପସ୍ଥିତିରେ ‘ଆଫା’ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀ ଏହି ରିମେକ୍ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଓଡ଼ିଆ ସିନେମା ଜଗତ ପାଇଁ ଏହା ଏକ ବିରାଟ ସଫଳତା ବୋଲି ସିନେ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।
ଗତ ଏପ୍ରିଲ୍ ୩ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ଏକ ସାଧାରଣ ପରିବାରର (ବାପା, ମା’, ଜେଜେବାପା ଓ ଝିଅ) ଅସାଧାରଣ କାହାଣୀ ଉପରେ ପର୍ଯ୍ୟବସିତ, ଯାହା ପ୍ରତ୍ୟେକ ଦର୍ଶକଙ୍କୁ ନିଜର କାହାଣୀ ବୋଲି ମନେ ହେଉଛି।
ଏହି ଚଳଚ୍ଚିତ୍ର ଜରିଆରେ ସୁନାମଧନ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ କନ୍ୟା ଅନମୋଲ ପତି ନିଜର ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ କୁନା ତ୍ରିପାଠୀ, ପ୍ରୀତିରାଜ ଶତପଥୀ, ନୈନା ଦାଶ, ହର ରଥ, ଧରିତ୍ରୀ ଖଣ୍ଡୁଆଳ,ସିଦ୍ଧାର୍ଥ ତିୱାରୀ ଏବଂ ଶିଶୁ କଳାକାର ମିଭାନ୍ ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି।
ପ୍ରୀତିରାଜ ଶତପାଥୀ ଓ ନୈନା ଦାଶଙ୍କ ପ୍ରଯୋଜିତ ଏହି ଫିଲ୍ମରେ କୁନା ତ୍ରିପାଠୀ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ବିଶ୍ୱଜିତ୍ କୁଲଡିଙ୍କ ସିନେମାଟୋଗ୍ରାଫି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଯେଉଁମାନେ ଏହି ହୃଦୟସ୍ପର୍ଶୀ ସିନେମାଟିକୁ ଏଯାଏଁ ଦେଖିନାହାନ୍ତି, ନିକଟସ୍ଥ ଥିଏଟରକୁ ଯାଇ ନିଶ୍ଚୟ ଦେଖିବାକୁ ଫିଲ୍ମ ଟିମ୍ ଅନୁରୋଧ କରିଛନ୍ତି।


