ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନଠାରେ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ସମୀକ୍ଷା ବୈଠକରେ ‘ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ’, ‘OHRE Act’ ଏବଂ ‘ୟୁନିଫର୍ମ ଲ୍ୟାଣ୍ଡ ପଲିସି’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ବୈଠକରେ ଏହି ଆଇନଗୁଡ଼ିକର ବିଭିନ୍ନ ଧାରା ଓ ଅନୁଚ୍ଛେଦକୁ ତର୍ଜମା କରାଯାଇଥିଲା। ଏହା ସହ ପ୍ରଚଳିତ ନିୟମଗୁଡ଼ିକରେ ଆବଶ୍ୟକୀୟ ସଂସ୍କାର ଆଣି ଆଗାମୀ ଦିନରେ ଏହାକୁ କିଭଳି ଅଧିକ ଲୋକାଭିମୁଖୀ କରିବା ନେଇ ଆଲୋଚନା ହୋଇଥିଲା।
ଏହି ଆଲୋଚନାରେ ଜଷ୍ଟିସ ଅକ୍ଷୟ କୁମାର ରଥ, ଆଇନ କମିଶନ ସଦସ୍ୟ ସୂର୍ଯ୍ୟ ପ୍ରକାଶ ମିଶ୍ର, ଆଇନ ସଚିବ ଡକ୍ଟର ପବିତ୍ର ମୋହନ ସାମଲ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଏଲ.ଆର ତଥା ସ୍ୱତନ୍ତ୍ର ସଚିବ ପ୍ରଣବ କୁମାର ପାତ୍ର, ଆଇନ ବିଭାଗର ଅତିରିକ୍ତ ସଚିବ ଶିବପ୍ରସାଦ ମହାପାତ୍ର ଏବଂ ଅରୁଣ କୁମାର ସାହୁ, ଯୁଗ୍ମ ସଚିବ ଅଂଶୁମାନ ମହାନ୍ତିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


