ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

Published: Aug 15, 2019, 4:43 pm IST

ବଲିଉଡ୍‌ରେ ସତୁରୀ ଓ ଅଶୀ ଦଶକରେ ନିଜ ଚୁଲ୍‌ବୁଲ୍‌ ହସ ଦ୍ବାରା ରାଜ୍‌ କରୁଥିବା ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି । ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରରେ ଥିବା ସମୟରେ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ୧୯୭୪ ମସିହାରେ ଫିଲ୍ମ ‘ରାଜା କାକା’ରେ କିରଣ କୁମାର୍‌ଙ୍କ ବିପକ୍ଷରେ ନଜର ଆସି ପ୍ରଥମେ ବଲିଉଡ୍‌ରେ ପାଦ ଦେଇଥିଲେ । କିନ୍ତୁ ‘ରଜନୀଗନ୍ଧା’ ଫିଲ୍ମରେ ସେ ପରିଚିତି ହାସଲ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଅଭିନେତା ଅମୋଲ୍‌ ପାଲେକର୍‌ ।  ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଛୋଟୀ ସୀ ବାତ୍‌’, ‘ପତି ପତ୍ନୀ ଔର୍‌ ଓ୍ବ’, ‘ମୁକ୍ତି’, ମେରା ଜୀବନ୍‌, ଇନ୍‌କାର୍‌, କିତାବ୍‌, ମମତା, ସଫେଦ୍‌ ଝୁଟ୍‌, ମଗରୁର୍‌, ମିରା, ସ୍ବୟଂମ୍ବର, ସବୁତ୍‌, ପ୍ୟାରା ଦୁସମନ୍‌, ଲଭ୍‌ ଷ୍ଟୋରୀ ପ୍ରମୁଖ। ଶେଷଥର ପାଇଁ ସଲମାନଙ୍କ ଅଭିନୀତ ’ବଡିଗାର୍ଡ’ରେ ସେ ନଜର ଆସିଥିଲେ । ବଡ଼ପରଦାରୁ ଦୂରେଇ ଯାଇ ବିଦ୍ୟା ଛୋଟପରଦାରେ ବେଶ୍‌ ସକ୍ରିୟ ରହିଥିଲେ । ୨୦୦୦ ମସିହାରେ ‘ବୋହୂ ରାନୀ’ ଧାରାବାହିକରେ ଅଭିନୟ କରି ବେଶ ଲୋକପ୍ରିୟତା ପାଇଥିଲେ  । ପରବର୍ତ୍ତୀ ସମୟରେ ‘କାବ୍ୟାଞ୍ଜଳି’, ‘ଜାରା’, ‘ନିମ୍‌ ନିମ୍‌ ଶହଦ୍‌ ଶହଦ୍‌,’ ‘ହାର ଜିତ’, ‘କୁବୁଲ୍‌ ହୈ,’, ‘ଜିନ୍ଦଗୀ ଉଇନ୍‌ସ’, ‘ଇସ୍କ କା ରଙ୍ଗ୍‌ ସଫେଦ୍‌’, ଚନ୍ଦ୍ରା ନନ୍ଦିନୀ ପରି ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି ।  ନିକଟରେ ସେ ‘କୁଲ୍‌ଫି କୁମାରୀ ବାଜେଓ୍ବାଲା’ରେ ଅଭିନୟ କରୁଥିଲେ । ୧୯୪୭ରେ ଜନ୍ମିତ ବିଦ୍ୟାଙ୍କ ଗୋଟିଏ ଝିଅ ରହିଛନ୍ତି। ସେ ଦୁଇ ଦୁଇଥର ବିବାହ କରିଥିଲେ ଦିବ୍ୟା । ପ୍ରଥମେ ୧୯୬୮ ମସିହାରେ ଭେଙ୍କେଟଶ୍ବର ଆୟାର୍‌ଙ୍କୁ ବିବାହ କରିଥିବାବେଳେ ପରବର୍ତ୍ତୀ ସମୟରେ ନେତାଜୀ ଭୀମରାଓ ସାଲୁଖେଙ୍କୁ ବିବାହ କରିଥିଲେ ।

Related posts