ଅଭିନେତା ପପୁ ପମ୍ପମ୍ଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନୈୟା’ଙ୍କ ପୋଷ୍ଟରକୁ ନେଇ ବିବାଦ ଏବେ ଜୋରସୋର । ଏହି ବିବାଦୀୟ ପୋଷ୍ଟର ଘଟଣା ଏବେ ଥାନାରେ । ଏହି ଫିଲ୍ମର ଅଭିନେତା ପପୁ ପମ୍ପମ୍ ଓ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ସହ ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ମଧ୍ୟ ଦାବି କରାଯାଇଛି । ଏହି ଫିଲ୍ମରେ ମହିଳାଙ୍କୁ ଅପମାନିତ କରାଯାଇଛି ବୋଲି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି । ଏହି ବିବାଦୀୟ ଫିଲ୍ମ ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅପମାନ ବୋଲି ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି ।