ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ ହୋଇ ଜଗଦଲପୁର ଏବଂ ଜୁନାଗଡ଼ ଯାଉଥିଲା । ଯାହା ସମସ୍ୟା ସୃଷ୍ଟି କରୁଥିଲା । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ପିୟୁଷ ଗୋଏଲ ଆଶାବ୍ୟକ୍ତ କରିଛନ୍ତି । ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ ।