ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ -2 ମଙ୍ଗଳବାର ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ସକାଳ 9.30 ମିନିଟ୍ ସମୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-2 । ଭାରତର ଏହି ଐତିହାସିକ ମୂହୁର୍ତ୍ତରେ ଇସ୍ରୋର 200 କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚନ୍ଦ୍ରରେ ଅବତରଣର ଅନ୍ତିମ 30 ମିନିଟ୍ ଅତ୍ୟନ୍ତ ଚିନ୍ତାଜନକ ରହିଥିଲା ବୋଲି ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ନାୟାର ପ୍ରକାଶ କରିଛନ୍ତି । ଏହି 30 ମିନିଟ୍ ଇସ୍ରୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା ଏବଂ ସମସ୍ତ କର୍ମଚାରୀଙ୍କ ହୃତସ୍ପନ୍ଦନ ରୋକି ହୋଇଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେହିପରି ଭାରତର ମନୁଷ୍ୟ ମହାକାଶ ମିଶନ ଗଗନାୟନ ଉପରେ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଶିବନ୍ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ -2 ଚନ୍ଦ୍ରର ଚାରିଥର ପରିକ୍ରମା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ବୋଲି ଶିବନ୍ ପ୍ରକାଶ କରିଛନ୍ତି ।