ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍ ସ୍ୱିଚ୍ ଅଫ୍ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି । ଆଜି ବିଚାରପତି ଜଷ୍ଟିସ୍ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍ଙ୍କ ଘରୁ ଖାଲି ହାତରେ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍ଙ୍କ ନାମରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏହା ଖାରଜ ହେବା ପରେ ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍ ଏବଂ ଇଡି ଟିମ୍ ଚିଦାମ୍ବରମ୍ଙ୍କ ଜୋରବାଗ୍ସ୍ଥିତ ବାସଭାବନଠାରେ ପହଞ୍ଚିଥିଲେ । କିନ୍ତୁ ସେ ଘରେ ନଥିବାରୁ ଉଭୟ ଟିମ୍ଙ୍କୁ ନିରାଶ ହେବାକୁ ପଡ଼ିଥିଲା ।