ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ୬ଜଣ କ୍ୟାବିନେଟ୍, ୬ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଓ ୧୧ ରାଜ୍ୟ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଯୋଗୀଙ୍କ ୨୩ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜାତିଗତ ସମୀକରଣକୁ ବିଶେଷ ଧ୍ୟାନ ଦିଆଯାଇଛି । ଯୋଗୀଙ୍କ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟରେ ୬ ଜଣ ବ୍ରାହ୍ମଣ, ୨ ଜଣ କ୍ଷତ୍ରିୟ, ୨ ଜଣ ଜାଟ୍, ୧ ଗୁଜ୍ଜର, ୩ ଦଳିତ, ୨ କୁର୍ମି, ୧ ରାଜଭର, ୧ ଗଡରିଆ, ୩ ବୈଶ୍ୟ, ୧ ଶାକ୍ୟ ଓ ଜଣେ ମଲ୍ଲାହ ଜାତିର ରହିଛନ୍ତି । ଏହି ୨୩ମନ୍ତ୍ରୀଙ୍କ ମଧ୍ୟରେ ୧୪ଟି ନୂଆ ମୁହଁ ଯୋଡି ହୋଇଛନ୍ତି । ରାଜ୍ୟପାଳ ଅନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଯୋଗୀ ମନ୍ତ୍ରିମଣ୍ଡଳରେ ନୂଆ ଲୋକଙ୍କୁ ଅବସର ଦେବା ସମୟରେ ଜାତୀୟ ଏବଂ କ୍ଷେତ୍ରୀୟ ସନ୍ତୁଳନ ସହ ଲୋକସଭା ନିର୍ବାଚନରେ ତାଙ୍କର ପ୍ରଦର୍ଶନକୁ ଧ୍ୟାନ ଦେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ଏଭଳି ୭ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଭଲ କାମ ପାଇଁ ସମ୍ମାନିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ରାଜ୍ୟମନ୍ତ୍ରୀ ପ୍ରମୋଶନ ପାଇ ସ୍ୱତନ୍ତ୍ର ପ୍ରଭାର ରାଜ୍ୟମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରିମଣ୍ଡଳ ବିସ୍ତାର ପରେ ଏବେ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୫୬ ଜଣ ମନ୍ତ୍ରୀ ରହିବେ । ଯୋଗୀଙ୍କ କ୍ୟାବିନେଟ୍ରେ ରହିଥିବା ମନ୍ତ୍ରୀମାନେ ହେଉଛନ୍ତି – ମହେନ୍ଦ୍ର ସିଂ, ଭୂପେନ୍ଦ୍ର ସିଂ ଚୌଧୁରୀ, ରାମ ନରେଶ୍ ଅଗ୍ନିହୋତ୍ରୀ, ସୁରେଶ ରାଣା, ଅନିଲ୍ ରାଜଭର୍, କମଲା ରାନୀ, ନୀଳକଣ୍ଠ ତିଓ୍ବାରୀ, କପିଲ ଦେବ ଅଗ୍ରଓ୍ବାଲ, ସତୀଶ୍ ଦ୍ବିବେଦୀ, ଅଶୋକ କଟାରିଆ, ଶ୍ରୀରାମ ଚୌହ୍ବାନ ଓ ରବୀନ୍ଦ୍ର ଜୟସଓ୍ବାଲ୍ ପ୍ରମୁଖ ରହିଛନ୍ତି । ଶ୍ରୀରାମ ଚୌହ୍ବାନ ଓ ରବୀନ୍ଦ୍ର ଜୟସଓ୍ବାଲ୍ଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ରୂପେ ନିଯୁକ୍ତ କରାଯାଇଛି । ସେହିପରି ଏମାନଙ୍କ ବ୍ୟତୀତ ଅନୀଲ୍ ଶର୍ମା, ମହେଶ ଗୁପ୍ତା, ଆନନ୍ଦ ସ୍ବରୂପ ଶୁକ୍ଲା, ବିଜୟ କଶ୍ୟପ୍, ଗିରାଜ୍ ସିଂହ ଧର୍ମେଶ୍, ଲାଖନ୍ ସିଂ ରାଜପୁତ୍, ନିଲିମା କଟିଆରା, ଚୌଧୁରୀ ଉଦୟ ଧ୍ୟାନ ସିଂହ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ, ରାମଶଙ୍କର ସିଂ ପଟେଲ୍ ଓ ଅଜିତ୍ ସିଂହ ପ୍ରମୁଖ ରାଜ୍ୟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳ ବିସ୍ତାର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ବିଭାଗ ବଣ୍ଟନ କରିବେ ବୋଲି ସୂଚନା ରହିଛି । ସେହିପରି କିଛି ବିଭାଗରେ ମନ୍ତ୍ରୀଙ୍କ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ୪ ଘଟିକାରେ ନୂଆ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୈଠକ ହେବ । ଏହି ବୈଠକରେ ସରକାରଙ୍କ ନୂତନ ଏଜେଣ୍ଡା ରଖାଯିବ ।
ଯୋଗୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ : ଶପଥ ନେଲେ ୨୩ ମନ୍ତ୍ରୀ
Published:
Aug 21, 2019, 12:39 pm IST
Tags: