ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ରାଜୀବ କୁମାର କହିଛନ୍ତି ଯେ, ନୋଟ୍ବନ୍ଦୀ, ଜିଏସ୍ଟି ଓ ଆଇବିସି (ଦେବାଳିଆ ଆଇନ୍) ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ ଦେଖାଦେଲାଣି। ଏଭଳି ସ୍ଥିତିରେ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଘରୋଇ କ୍ଷେତ୍ରରେ କେହି କାହା ଉପରେ ଭରସା କରି ପାରୁ ନାହାଁନ୍ତି । କୌଣସି ଘରୋଇ ସଂସ୍ଥା ଅନ୍ୟ ଘରୋଇ ସଂସ୍ଥାକୁ ବି ଆଉ ଋଣ ଦେବାକୁ ପ୍ରସ୍ତୁତ ନାହାଁନ୍ତି । ସବୁ କ୍ଷେତ୍ରରେ ନଗଦ ଓ ଟଙ୍କା ଜମା କରିବାକୁ ପଡ଼ୁଛି । ଏହି ଟଙ୍କା ବଜାରକୁ ଆଣିବାକୁ ହେଲେ ସରକାରଙ୍କୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ । ଏହି ସ୍ଥିତିରେ ସରକାରଙ୍କ ମନରୁ ଘରୋଇ କ୍ଷେତ୍ରରେ ନିବେଶ ଡରକୁ ହଟାଇବାକୁ ପଡ଼ିବ। ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରୋତ୍ସାହିତ କରିବା ଜରୁରୀ ହୋଇପଡ଼ିଛି । ୨୦୦୯-୧୪ ମଧ୍ୟରେ ଆଖିବୁଜା ଋଣ ଦିଆଯାଇଥିବାରୁ ଦେଶରେ ଏଭଳି ଖରାପ ଅର୍ଥବ୍ୟବସ୍ଥା ଆସିଛି ବୋଲି ରାଜୀବ କୁମାର କହିଛନ୍ତି ।