ସମୀକ୍ଷା ବ୍ୟୁରୋ
ଓଡିଆ ଟ୍ରେନ ଟିକେଟ ଦିଆଯାଉ ବୋଲି ବହୁ ଦିନ ଧରି ହୋଇଆସୁଥିବା ଦାବୀ ଶେଷରେ ବାସ୍ତବ ରୂପ ନେଉଛି। ଆସନ୍ତାକାଲିଠାରୁ ଏଣିକି ସମସ୍ତ ଅଣ ସଂରକ୍ଷିତ ଟ୍ରେନ ଟିକେଟ ଓଡିଆ ଭାଷାରେ ମିଳିବ। ସେଥିପାଇଁ ଭାରତୀୟ ରେଳ ବିଭାଗ ସମସ୍ତ ପ୍ରକାରର ପ୍ରସ୍ତୁତି କରିଦେଇଛି। ଏହି ଟିକେଟରେ ଗନ୍ତବ୍ୟ ସ୍ଥଳଠାରୁ ଆରମ୍ଭ କରି ତାରିଖ ପ୍ରଭୁତି ସମସ୍ତ ବିବରଣୀ ଓଡିଆରେ ଲେଖାଯିବ। ଦୀର୍ଘଦିନ ଧରି ରେଳ ବିଭାଗ ଏ ଉପରେ ପରୀକ୍ଷା ନିରକ୍ଷା କରିଆସୁଥିଲା। ଶେଷରେ ବାସ୍ତବ ରୂପ ନେବା ପରେ ବର୍ତ୍ତମାନ ଆସନ୍ତକାଲି ଓଡିଶାରେ ଥିବା ସମସ୍ତ ଟିକେଟ କାଉଣ୍ଟରରେ ନୂଆ ସଫ୍ଟ ୱାର ପ୍ରଦାନ କରାଯାଇଛି। ଫଳରେ ଏଣିକି ଏହି ଅଣ ସଂରକ୍ଷିତ ବର୍ଗର ଟିକେଟରେ ଇଂରାଜୀ ସହିତ ଓଡିଆ ଲେଖାଥିବା ଟିକେଟ ମିଳିବ। ତେବେ ତାହା ଦିନ 12 ଟା ପରେ ସମସ୍ତ ରେଳ ଟିକେଟ କାଉଣ୍ଡରରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟ ସରକାର ଓଡିଆ ଭାଷାରେ ଫାଇଲ ଏବଂ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ତାହା ନ ମାନେ ସେଥିପାଇଁ ଦଣ୍ଡ ବିଧାନ ନ ଥିଲା। କିଛିଦିନ ତଳେ ସରକାର ଏଥିପାଇଁ ଦଣ୍ଡବିଧାନ ମଧ୍ୟ କରିଦେଇଛନ୍ତି। ମୁଖ୍ୟତଃ ଓଡିଶାରେ ଓଡିଆ ଭାଷା ସମସ୍ତେ କିପରି ବ୍ୟବହାର କରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ କେନ୍ଦ୍ର ସରକାର ରେଳଟିକେଟ ଓଡିଆ ଭାଷାରେ କରି ଆଉ ଏକ ଉଦାହରଣ ସୃଷ୍ଟି କଲେ।