ଭାରତୀୟ ଟେନିସ୍ ଖେଳାଳି ସୁମିତ୍ ନାଗଲ୍ ୟୁଏସ୍ ଓପନ୍ ଯୋଗ୍ୟତା ପର୍ଯ୍ୟାୟରେ ବିଜୟୀ ହୋଇ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି। ଏହି ୨୨ ବର୍ଷୀୟ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ରୋଜର ଫେଡେରରଙ୍କୁ ଭେଟିବେ। ପୂର୍ବତନ ୟୁଏସ ଓପନ୍ ତଥା ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍ ଫେଡେରରଙ୍କ ମୁକାବିଲା କରିବେ ସୁମିତ ନାଗଲ୍। ୨୦୧୫ରେ ଜୁନିୟର ଓ୍ବିମ୍ବଲଡନ୍ ବିଜେତା ନାଗଲ୍ ପାନ୍ ଆମେରିକା ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜୋଆଓ ମେନେଜେସ୍ଙ୍କୁ ପରାସ୍ତ କରି ୟୁଏସ୍ ଓପନ ମୁଖ୍ୟ ଡ୍ର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମେନେଜେସ୍ଙ୍କୁ ୫-୭, ୬-୪ ଏବଂ ୬-୩ ସେଟ୍ରେ ପରାସ୍ତ କରିଥିଲେ ନାଗଲ୍। ନାଗଲ୍ଙ୍କ ବ୍ୟତିତ ଅନ୍ୟତମ ଭାରତୀୟ ଖେଳାଳି ପ୍ରଜ୍ନେଶ ଗୁଣେଶ୍ବରନ୍ ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଗୁଣେଶ୍ବରନ୍ ବିଶ୍ବ ମାନ୍ୟତାର ୮୯ତମ ସ୍ଥାନରେ ରହିଛନ୍ତି।