ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଲୋକାଗତ ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତା 26 ତାରିଖରେ ବସିବାକୁ ଥିବା ନକ୍ସଲ ଦମନ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଗତ ଶୁକ୍ରାବର ଦିନ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ଅରୁଣ ଜେଟିଲୀଙ୍କ ପରଲୋକ ଖବର ପାଇବା ପରେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅରୁଣ ଜେଟିଲୀଙ୍କ ବ୍ୟକ୍ତିଗତ ସଂପର୍କ ବେଶ୍ ଘନିଷ୍ଠ। କାରଣ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଉଭୟ ବେଶ୍ ସମୟ ଧରି ଆଲୋଚନା କରିଛନ୍ତି। ଏପରିକି ଜେଟିଲୀ ବିଜେପିରେ ଥିଲେ ମଧ୍ୟ ରାଜ୍ୟର ଉନ୍ନତି ପାଇଁ ନବୀନଙ୍କୁ ବେଶ୍ ସାହାର୍ଯ୍ୟ ମଧ୍ୟ କରିଛନ୍ତି। ଜେଟଲୀଙ୍କ ଶେଷ ଦର୍ଶନ ପାଇଁ ନବୀନ ତାଙ୍କ ବାସଭବନରେ ପହଁଚିବା ବେଳକୁ ସେଠାରେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆସିବା ଜାଣିବା ପରେ ଧର୍ମେନ୍ଦ୍ର ପୂର୍ବରୁ ଜେଟଲୀଙ୍କୁ ଶେଷ ଦର୍ଶନ କରିସାରିଥିଲେ ମଧ୍ୟ ତାଙ୍କ ସାଥିରେ ପୁଣି ଥରେ ଆସିଥିଲେ। ଶେଷ ଦର୍ଶନ କରି କିଛି ସମୟ ସେଠାରେ ରହିବା ପରେ ଉଭୟ ବାହାରକୁ ବାହାରି ଯାଇଥିଲେ। ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଜେଟଲୀଙ୍କୁ ଶେଷ ଦର୍ଶନ କରିଥିଲେ।