ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀସ୍ଥିତ ନିଗମବୋଧ ଘାଟରେ ହେବ । ଜେଟ୍ଲୀଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଏଠାରେ ରାଜନୈତିକ ଦଳର ନେତା ଓ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଅନ୍ତିମ ବିଦାୟ ଜଣାଇବେ । ଦ୍ବିପ୍ରହର ୧.୩୦ରେ ଜେଟ୍ଲୀଙ୍କ ଅନ୍ତିମ ଯାତ୍ରା ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରୁ ନିଗମବୋଧ ଘାଟ ପର୍ଯ୍ୟନ୍ତ ଆରମ୍ଭ ହେବ । ଏଠାରେ ୨.୩୦ ମିନିଟ୍ରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯିବ । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ମଧ୍ୟାହ୍ଣ ୧୨ଟା ୭ ମିନିଟରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋଗ ଗମନ କରିଥିଲେ ।