ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାରିନ୍ ଗସ୍ତରେ ୨୪୯ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଛି ବାହାରିନ୍। ଅଗଷ୍ଟ ୨୫ ରବିବାରରେ ଏହି ବନ୍ଦୀ ମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି ବାହାରିନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ବନ୍ଦୀ ମାନଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଛି। ଅଗଷ୍ଟ ୨୪ ରେ ପ୍ରଧାନମନ୍ତ୍ରୀ ମୋଦି ବାହାରିନ୍ ଗସ୍ତରେ ଯାଇଥିଲେ। ଏହି ରାଜକ୍ଷମା ପାଇଁ ମୋଦି ବାହାରିନ୍ ଜାତୀୟ ଷ୍ଟାଡିୟମରେ ନିଜର ଅଭିଭାଷଣରେ ବାହାରିନ୍ର ନେତୃତ୍ବଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ସହିତ ବାହାରିନ୍ରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିରର ବିକାଶ ପାଇଁ ମୋଦି ୪.୨ ମିଲିୟନ୍ ଡଲାରର ସହାୟତା ରାଶି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସରକାରୀ ତଥ୍ୟ ଅନୁଯାୟୀ ସମୁଦାୟ ୮୧୮୯ ଜଣ ଭାରତୀୟ ବିଦେଶରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଛନ୍ତି। ସାଉଦି ଆରବରେ ସର୍ବାଧିକ ୧୮୧୧ ଜଣ ବନ୍ଦୀ ରହିଥିବା ବେଳେ ୟୁଏଇରେ ୧୩୯୨ ଜଣ ବନ୍ଦୀ ରହିଛନ୍ତି।