ହକି ଚାମ୍ପିୟନ୍ ମେଜର ଧ୍ୟାନଚାନ୍ଦଙ୍କ 114 ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ’ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି । ଦିନ 10ଟା ସମୟରେ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୋଦି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୈନିକ ଜୀବନରେ କ୍ରୀଡା ଏବଂ ଫିଟ୍ନେସ୍କୁ ଗୁରୁତ୍ବ ପ୍ରଦାନ କରିବାର ଆବେଦନ କରିଥିଲେ । ଏହି ଅବସରରେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଭିଭିଏସ୍ ଲକ୍ଷ୍ମଣ ଧ୍ୟାନଚାନ୍ଦ ଏବଂ ସାର୍ ଡନ୍ ବ୍ରାଡମ୍ୟାନଙ୍କ ମଧ୍ୟରେ ସମାନତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ସହିତ ଏକ ସୁସ୍ଥ ଏବଂ ସକ୍ରିୟ ଭାରତ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଏହି ମିଶନ ଜରିଆରେ ପୂରଣ ହେବ ବୋଲି କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 25ର ମନ୍ କି ବାତ୍ ସମୟରେ ମୋଦି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ ।
ଜାତୀୟ କ୍ରୀଡା ଦିବସରେ ’ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ’ର ଶୁଭାରମ୍ଭ କଲେ ମୋଦି
Published:
Aug 29, 2019, 11:25 am IST
Tags: