ହରିୟାଣାର ରାଇ ଖେଳ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା କ୍ରିକେଟର କପିଲ୍ ଦେବ । ହରିୟାଣା ଖେଳମନ୍ତ୍ରୀ ଅନିଲ ଭିଜ୍ ଟ୍ୱିଟ କରି ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ସୋନିପଥର ରାଇରେ ମୋତିଲାଲ ନେହେରୁ ସ୍କୁଲ ଅଫ ସ୍ପୋଟର୍ସ କ୍ୟାମ୍ପସରେ ଏହି ଖେଳ ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟର ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି ମଧ୍ୟ ଖୁବଶୀଘ୍ର କରାଯିବ । ନିୟମାନୁସାରେ କୌଣସି ବିଶ୍ବବିଦ୍ୟାଳୟର କୁଳପତିର ପଦ ରାଜ୍ୟର ରାଜ୍ୟପାଳଙ୍କୁ ଦିଆଯାଇଥାଏ, କିନ୍ତୁ ହରିୟାଣାରେ ନିଯୁକ୍ତିକୁ ନେଇ ଆଇନକୁ ପରିବର୍ତ୍ତନ କରାଯାଇଛି ଏବଂ ପ୍ରଥମ ଥର ପାଇଁ ଖେଳ ଦୁନିଆ ସହ ଜଡିତ ଥିବା ଜଣେ ବ୍ୟକ୍ତିକୁ ଏହି ପଦ ପାଇଁ ନିଯୁକ୍ତ କରାଯାଇଛି । କିନ୍ତୁ ରାଜ୍ୟପାଳ ସଂରକ୍ଷକଙ୍କ ଭୂମିକାରେ ରହିବେ । ହରିୟାଣା ସରକାର ଗତ ମୌସୁମୀ ଅଧିବେଶନରେ ପ୍ରଦେଶର ପ୍ରଥମ ଖେଳ ବିଶ୍ୱବିଦ୍ୟାଳୟ ସ୍ଥାପନା କରିଥିଲେ । କପିଳ ଦେବ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ । ତାଙ୍କରି ନେତୃତ୍ୱରେ ୧୯୮୩ ମସିହାରେ ପ୍ରଥମ ବିଶ୍ୱକପ ଜିତିଥିଲା ଭାରତ ।