ସମୀକ୍ଷା ବ୍ୟୁରୋ
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା୨୭ ତାରିଖ ଦିନ ପାଇକ ବିଦ୍ରୋହ ସ୍ମାରକିର ଶିଳାନ୍ୟାସ କରିବା ପାଇଁ ଅନୁରୋଧ କରାଯାଇଛି । ଯଦି ସମ୍ମତି ମିଳେ ତେବେ ତାହା ରାଷ୍ଟ୍ରପଚିଙ୍କ ଦ୍ବାରା ଶିଳା ନ୍ୟାସ କରାଯିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ବରୁଣେଇ ପାଦଦେଶକୁ ଯାଇ ପାଇକ ସ୍ମାରକୀ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବା ଅବସରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଅବସରରେ ଏଠାରେ ଗୋଟିଏ ସ୍ମାରକ ନିର୍ମାଣର ପରିକଳ୍ପନା ଭାରତ ସରକାରଙ୍କ ଥିଲା । ଏଥିପାଇଁ ରାଜ୍ୟ ସରକାର ଜାମି ଉପଲବ୍ଧ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖି ପାଇକ ସ୍ମାରକୀ ନିର୍ମାଣ ପାଇଁ ୧୦ ଏକର ଜମି ଉପଲବ୍ଧ କରାଇଥିବା ସୂଚନା ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଏହି ସ୍ମାରକି ସମ୍ପକରେ ପ୍ରାରମ୍ଭିକ ସମୀକ୍ଷା ହୋଇଥିବା ମନ୍ତ୍ରୀ କହିଛନ୍ତି । ଓଡିଆ ଜାତିର ପ୍ରେରଣାର କେନ୍ଦ୍ର ତଥା ପାଇକ ବିଦ୍ରୋହର ସ୍ଥାନ ବରୁଣେଇ ପାହାଡ ପାଦଦେଶରେ ଦେଶର ଭବିଷ୍ୟତ ପିଢିଙ୍କ ପାଇଁ ନୂଆ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ବନାଯିବ । ଯେଉଁ ସ୍ମୃତିସ୍ଥଳିର କଳ୍ପନା ରହିଛି ଏହା ଓଡିଆ ଜନଜୀବନ ଓ ଓଡିଆ ବୀରଗାଥାର ଏକ ଅନନ୍ୟ ତୀର୍ଥ କ୍ଷେତ୍ର ଭାବରେ ଶତାବ୍ଦୀ ଶତାବ୍ଦୀ ଧରି ଦେଶବାସୀଙ୍କୁ ପ୍ରେରଣା ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।