ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ ବୋଲି ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। ଭିତରକନିକାରେ ଭିଡ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଅଗଷ୍ଟ ୨୩ ରୁ ୨୯ ତାରିଖ ଯାଏଁ ୭ଦିନ ଧରି ହୋଇଥାନ୍ତା। ଗଣନାକାରୀ ଟିମ ମଠଆଡିଆରେ ପହଞ୍ଚିବା ପରେ ମାତ୍ର ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ଓ ହଜାର ହଜାର ପକ୍ଷୀ ବସା ବାନ୍ଧିବା ପାଇଁ କୁଟା କାଠି ଧରି ଉଡୁଥିବା ଦେଖିବାକୁ ପାଇଥିଲେ। ଫଳରେ ଗଣନା ବନ୍ଦ ରହିଥିଲା। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଠଆଡିଆରେ କପରଖାଇ, ପାଣିକୁଆ, ଦାବେଂଟିଆ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ତାଳିଆ, ବଡବଗ, ମଝିଆଁବଗ, ଛୋଟବଗ, ରାଣୀବଗ, ଅଂଜନା, ଖଇରା, ଦାବେଂଟିଆ ଆଦି ପକ୍ଷୀ ହଜାର ହଜାର ସଂଖ୍ୟାରେ ବସା ବାନ୍ଧିଛନ୍ତି।