ଦେଶର ଯୁବଶକ୍ତିଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏବେ ବିରୋଧୀଙ୍କ ଟାର୍ଗେଟରେ ଆସିଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସନ୍ତୋଷ ଗଙ୍ଗଓ୍ବାରଙ୍କ ବୟାନକୁ ନେଇ ଆକ୍ରମଣ କରି କହିଛନ୍ତି ଯେ, ପାଞ୍ଚ ବର୍ଷ ଭିତରେ ଆପଣଙ୍କ ସରକାର ଚାକିରି ସୃଷ୍ଟି କରି ପାରିଲା ନାହିଁ । ଆଉ ଯାହା ଚାକିରି ଥିଲା ତାହା ଆର୍ଥିକ ମାନ୍ଦବାସ୍ଥା ସବୁ ଛଡେଇ ନେଉଛି । ସନ୍ତୋଷ ଗଙ୍ଗଓ୍ବାର ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ କହିଥିଲେ ଯେ, ଦେଶରେ ରୋଜଗାରର ସମସ୍ୟା ନାହିଁ, ବରଂ ଉତ୍ତର ଭାରତୀୟଙ୍କ ଯୋଗ୍ୟତାରେ କମି ରହିଛି । ପ୍ରିୟଙ୍କା ଗଙ୍ଗଓ୍ବାରଙ୍କ ଏହି ବୟାନର ଜବାବ ଦେବା ସହିତ କହିଛନ୍ତି ଯେ, ଦେଶର ଯୁବକ ସରକାର କିଛି କରିବେ ବୋଲି ରାସ୍ତା ଦେଖୁଥିବାବେଳେ, ଆପଣ ଉତ୍ତର ଭାରତୀୟଙ୍କୁ ଅପମାନ କରି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛ, ଯାହା ଏବେ ଆଉ ଚଳିବ ନାହିଁ । ସେହିପରି ଦେଶରେ ସୃଷ୍ଟି ହୋଇଥିବା ବେରୋଜଗାରୀ ସମସ୍ୟାକୁ ନେଇ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ ଯେ, ମୋଦି ସରକାର ଚାହୁଁଛନ୍ତି ଦେଶର ଯୁବକ ଏବେ ପକୁଡି ଛାଣନ୍ତୁ । ସେହିପରି ସନ୍ତୋଷ ଗଙ୍ଗଓ୍ବାରଙ୍କ ବୟାନକୁ ନେଇ ଆରଜେଡି ମଧ୍ୟ ସିଧା ଟାର୍ଗେଟ କରିଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ କହିଛନ୍ତି ଯେ, ‘ନିଜ ବୟାନ ପାଇଁ ସନ୍ତୋଷ ଗଙ୍ଗଓ୍ବାର କ୍ଷମା ମାଗିବା ଉଚିତ୍ । ନିଜର ନିକମାପଣକୁ ଲୁଚାଇବା ପାଇଁ ଏପରି ଏକ ହୀନ ମନ୍ତବ୍ୟ ଦେଇଛନ୍ତି । ଏପରି ମନ୍ତବ୍ୟ ଦ୍ବାରା ଯୁବଶକ୍ତିଙ୍କ ମନୋବଳ ହ୍ରାସ ହେବ । ଆମ ଲୋକ ବିଦେଶରେ ନିଜର ଉତ୍କର୍ଷତା ଦେଖାଇଛନ୍ତି । ଦେଶରେ ଯୋଗ୍ୟତାର କମ ନାହିଁ ।