ସୋମବାର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ କାଶ୍ମୀର ଗସ୍ତର ଅନୁମତି ମିଳିଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଜାଦଙ୍କୁ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିବାର ଅନୁମତି ପ୍ରଦାନ କରାଯାଇଛି । ଏହି ଗସ୍ତ ସମୟରେ ଆଜାଦ ଜମ୍ମୁ, ଅନନ୍ତନାଗ, ବାରମୂଲ୍ଲା ଏବଂ ଶ୍ରୀନଗର ଭ୍ରମଣ କରିପାରିବେ । ଏହି ଗସ୍ତରେ ଆଜାଦ୍ ସାଧାରଣ ଜନତାଙ୍କ ସହିତ ବାର୍ତ୍ତାଳାପ କରିପାରିବେ ମାତ୍ର କୌଣସି ରାଜନୈତିକ ରାଲି ଆୟୋଜନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଏସ୍ ଅବ୍ଦୁଲ୍ ନାଜୀର୍ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।