ଆଜି ସୁପ୍ରିମ୍କୋର୍ଟରେ ଜମ୍ମୁକାଶ୍ମୀରର ସ୍ଥିତି ସମ୍ପର୍କରେ ଆଗତ ଯାଚିକାରେ ଶୁଣାଣି ହୋଇଛି। ଏହି ଶୁଣାଣିରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଦରକାର ପଡ଼ିଲେ ସେ ନିଜେ ଜମ୍ମୁକାଶ୍ମୀର ଗସ୍ତ କରିବେ। ଜମ୍ମୁକାଶ୍ମୀରରେ ଲାଗୁ ହୋଇଥିବା କଟକଣା ଯୋଗୁଁ ହାଇକୋର୍ଟରେ କାମ ହୋଇପାରୁନାହିଁ ବୋଲି ଯାଚିକାରେ ଆବେଦନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ସୁପ୍ରିମ୍କୋର୍ଟରେ ବାଳ ଅଧିକାର କାର୍ଯ୍ୟକର୍ତ୍ତା ଇନାକ୍ଷୀ ଗାଙ୍ଗୁଲୀ ଆବେଦନ କରିଥିଲେ। ଜାମ୍ମୁ କାଶ୍ମୀରରେ ଜେଲରେ ବନ୍ଦ ଥିବା ୧୮ରୁ କମ୍ ବର୍ଷୀୟ ଶିଶୁଙ୍କ ଗିରଫଦାରୀ ପ୍ରସଙ୍ଗରେ ସେ ଆବେଦନ କରିଥିଲେ। ଜେଲ୍ରେ ବନ୍ଦ ରହିଥିବା ଶିଶୁଙ୍କ ସମ୍ବନ୍ଧିତ ସୂଚନା ପାଇଁ ସେ କୋର୍ଟରେ ଦାବୀ କରିଥିଲେ। ଅଦାଲତ ତାଙ୍କୁ ଜାମ୍ମୁ କାଶ୍ମୀରର ହାଇକୋର୍ଟରେ ଅପିଲ କରିବା ପାଇଁ କହିଥିଲେ। ଏହାପରେ ଇନାକ୍ଷୀଙ୍କ ଓକିଲ ହୁସେଫା ଅହମଦୀ କହିଥିଲେ କି, ସେଠାରେ ଏବେ ସ୍ଥିତି ସୁଦୃଢ ନଥିବାରୁ ସାଧାରଣ ଜନତା ହାଇକୋର୍ଟରେ ପହଞ୍ଚି ପାରୁନାହାନ୍ତି। ନ୍ୟାୟ ପାଇଁ ଲୋକଙ୍କୁ ସୁଯୋଗ ମିଳିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, “ଯଦି ଦରକାର ପଡ଼େ, ତା’ହେଲେ ଜମ୍ମୁ-କଶ୍ମୀର ସ୍ଥିତି ତର୍ଜମା କରିବାକୁ ସେ ନିଜେ ଶ୍ରୀନଗର ଗସ୍ତ କରିବେ ବୋଲି ଗୋଗୋଇ କହିଛନ୍ତି। ଏହି ସମ୍ପର୍କିତ ରିପୋର୍ଟ ପାଇଁ ଜମ୍ମୁକାଶ୍ମୀର ହାଇକୋର୍ଟଙ୍କୁ ରିପୋର୍ଟ ମାଗିବା ସହିତ ଜମ୍ମୁ କାଶ୍ମୀର ହାଇକୋର୍ଟର ବିଚାରପତିଙ୍କ ସହ କଥାହେବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି।