ଅନୁବନ୍ଧିତ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ଏକକ ବିଶ୍ବ ବିଦ୍ୟାଳୟ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ଭବାନୀପାଟଣାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟକୁ ଏକକ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ଘୋଷଣା କାର୍ଯ୍ୟକାରୀ ହେଲେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ସହ ସୁବର୍ଣପୁର ଏବଂ ବଲାଙ୍ଗୀରର ସମୁଦାୟ ୬୫ଟି ମହାବିଦ୍ୟାଳୟ ଅନୁବନ୍ଧିତ ହେବେ। ସେହିପରି କଳାହାଣ୍ଡି ଏବଂ ନୂଆପଡାର ସମୁଦାୟ ୫୦ଟି ମହା ବିଦ୍ୟାଳୟ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସହିତ ଅନୁବନ୍ଧିତ ହେବେ। ଦୁଇଟି ଏକକ ବିଶ୍ବ ବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପରେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ ଏବଂ ଛାତ୍ରଛାତ୍ରୀଙ୍କ ଆଡ୍ମିଶନ ପ୍ରକ୍ରିୟା ସୁଗମ ହୋଇ ପାରିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି।