ବିଧାନସଭା ଗୃହ ଏବଂ ଲବିର ପୁନରୁଦ୍ଧାର ପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାନସଭା ଗୃହ ଏବଂ ଲବିର ଭିତର ପାର୍ଶ୍ବର ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ କରାଯିବ। ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିଣତ କରାଯିବା ସହିତ ସ୍ଥାୟୀ ଆଲୋକରେ ସଜ୍ଜିତ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ପୂର୍ବତନ ବିଧାୟକ ବିଧାୟିକାଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗ କମିଶନର ଡ. କ୍ରିଷନ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥବିଭାଗ ସ୍ବତନ୍ତ୍ର ସଚିବ ପିକେ ନନ୍ଦ, ମୁଖ୍ୟ ସ୍ଥପତି ବିଶ୍ବରଞ୍ଜନ ନାୟକ, ମୁଖ୍ୟ ଯନ୍ତ୍ର୍ରୀ ଏସ୍ ଆର୍ ସେଠୀ, ଏନ୍ଆଇସି ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂ, ବିଡିଏର ଅତିରିକ୍ତ କମିଶନର ଏଚ୍ ସି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।