ନରେନ୍ଦ୍ର ମୋଦି ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏତତ୍ବ୍ୟତୀତ ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର୍ କହିଛନ୍ତି ଯେ ଚଳିତ ଥର ୧୧ ଲକ୍ଷ ୫୨ ହଜାର କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ । ଏଥିପାଇଁ ରେଳବିଭାଗକୁ ୨୦୨୪ କୋଟି ଖର୍ଚ୍ଚ ଭାର ପଡ଼ିବ । ୬ ବର୍ଷ ହେବ ଲଗାତାର ଭାବେ ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ବୋନସ୍ ଦେଉଛନ୍ତି । ସେହିପରି ଇ ସିଗାରେଟ୍ ବ୍ୟାନ୍କୁ ନେଇ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍ ଏସୁବୁ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି। ମୋଟ ୪୦୦ ବ୍ରାଣ୍ଡର ଇ-ସିଗାରେଟ୍ ରହିଥିବାବେଳେ ଏସବୁ ୧୫୦ ପ୍ରକାରର ଫ୍ଲେଭରରେ ମିଳୁଛି। କିନ୍ତୁ ଏଥିରୁ ଗୋଟିଏ ବି ଭାରତରେ ଉତ୍ପାଦନ ହେଉନାହିଁ। ଏହା ତମାଖୁ ବ୍ୟବହାର କମାଇବା ପରିବର୍ତ୍ତେ ଏକ ‘ଷ୍ଟାଇଲ ଷ୍ଟେଟ୍ମେଣ୍ଟ’ ଭାବେ ବ୍ୟବହୃତ ହେଉଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ବର୍ଷକୁ ଦେଶର ୯ ଲକ୍ଷ ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ଧୂମ୍ରପାନକାରୀ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ।