ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜର ଦ୍ବିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ 7 ଓ୍ବିକେଟ୍ରେ ବିଜୟୀ ହେବା ସହିତ 1-0ରେ ଅଗ୍ରଣୀ ରହିଛି । ଟସ୍ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍ ସୁନ୍ଦର ଏବଂ ଦୀପକ ଚହର ମାପଚୁପ ବୋଲିଂ କରିଥିଲେ ମଧ୍ୟ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍ ଡିକକ୍ ଗୋଟିଏ ପଟୁ ଆକ୍ରମଣ ଜାରି ରଖିଥିଲେ । ଦଳ ପକ୍ଷରୁ ଡିକକ୍ ସର୍ବାଧିକ 52 ରନ୍ ସଂଗ୍ରହ କରିଥିଲେ । 37 ବଲ୍ର ଇନିଂସରେ ଡିକକ୍ 8ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେମ୍ବା ବାଭୁମା 43 ବଲ୍ରୁ 49 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର 22ରନ ବିନିମୟରେ 2ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ନବଦୀପ ସାଇନି, ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।ନିର୍ଦ୍ଧାରିତ ଓଭରରେ ଦ. ଆଫ୍ରିକା 5 ଓ୍ବିକେଟ ହରାଇ 149 ରନ୍ ସଂଗ୍ରହ କରିଥିଲା । 150 ରନ୍ ଲକ୍ଷ୍ୟର ପିଛା କରୁଥିବା ଭାରତ ଦଳୀୟ ସ୍କୋର 33 ରନ୍ରେ ରୋହିତ ଶର୍ମା(12)ଙ୍କ ଓ୍ବିକେଟ୍ ହରାଇଥିଲା । ଏହାପରେ ଧଓ୍ବନ୍(40) ଏବଂ କୋହଲି(72) 61 ରନ୍ ଯୋଡିଥିଲେ । ପନ୍ତ (4) ପୁନର୍ବାର ବିଫଳ ହୋଇଥିବା ବେଳେ ଶ୍ରେୟସ୍ ଆୟାର(16)ଙ୍କ ସହ ମିଶି କୋହଲି ମ୍ୟାଚ୍ ସମାପ୍ତ କରିଥିଲେ । ଉଭୟ ଚତୁର୍ଥ ଓ୍ବିକେଟ୍ରେ ଅବିଭାଜିତ 47 ରନ୍ ଯୋଡିଥିଲେ । 72 ରନ୍ର ଇନିଂସ ପାଇଁ କୋହଲିଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।